ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍‌ ମାମଲା; ଅଭିଯୁକ୍ତକୁ ୫ବର୍ଷ ଜେଲଦଣ୍ଡ

ବାରିପଦା: ୨୦୧୪ ମସିହାରେ ହୋଇଥିବା ଏକ ମରଣାନ୍ତକ ଆକ୍ରମଣ ସହ ଲକ୍ଷାଧିକ ଟଙ୍କା ଲୁଟ ମାମଲାର ବିଚାର କରି ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ(୧) ଡ. ଭି ସୁଜାତା ଅଭିଯୁକ୍ତ ବାଙ୍ଗିରିପୋଷି ଥାନା ଅଧୀନ ନୂଆ ଗାଁ ଅଂଚଳର ଦଶରଥ ନାଏକଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୨ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୪ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ଘଟଣା ଅନୁସାରେ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ହିଜିଡି ଗ୍ରାମର ଘାସିରାମ ନାଏକ ତାଙ୍କ ବନ୍ଧୁ ପ୍ରକାଶ ବେହେରା ଓ ହିରଣ୍ୟ ବେହେରାଙ୍କ ସହ ମିଶି ସାରସକଣା ହାଟକୁ ଯାଇଥିଲେ। ତେବେ ଜନାମଜିହି ଗ୍ରାମ ନିକଟରେ ଜଣେ ଯୁବକ ହଠାତ ଭୁଜାଲିରେ ଘାସିରାମଙ୍କ ମୁଣ୍ଡକୁ ହାଣିଦେଇଥିଲା। ଏହା ସହିତ ତାଙ୍କ ନିକଟରେ ଥିବା ୧ଲକ୍ଷ ୩ହଜାର ଟଙ୍କାକୁ ମଧ୍ୟ ଲୁଟି ନେଇଥିଲା। ଆତ୍ମରକ୍ଷା ପାଇଁ ଉଦ୍ୟମ କରିବାରୁ ଉକ୍ତ ବ୍ୟକ୍ତି ଜଣଙ୍କ ସେମାନଙ୍କୁ ବନ୍ଧୁକ ଦେଖାଇ ମାରିବାକୁ ଉଦ୍ୟମ କରିଥିଲା। ତେ‌ବେ ଘଟଣାସ୍ଥଳକୁ ସ୍ଥାନୀୟ ଲୋ‌କମାନେ ଆସିଯିବାରୁ ଅଭିଯୁକ୍ତ ଜଣଙ୍କ ଏକ ହାତ ବୋମା ଫିଙ୍ଗି ପଳାଇଯିବାକୁ ଉଦ୍ୟମ କରିବାବେଳେ ଉପସ୍ଥିତ ଲୋକଙ୍କ ଦ୍ବାରା ଧରାପଡ଼ିଥିଲା। ଏହି ଘଟଣାରେ ଘାସିରାମଙ୍କ ଅଭିଯୋଗ ଆଧାରରେ ଝାରପୋଖରିଆ ଥାନା ପୁଲିସ୍‌ ୧୪୮/୧୪ନମ୍ବର କେସ୍‌ ଆଧାରରେ ଅଭିଯୁକ୍ତ ଦଶରଥକୁ ଗିରଫ କରିଥିଲା। ଏହି ମାମଲାକୁ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର