ବାରିପଦା:ଦୁର୍ଲଭ ପ୍ରାକୃତିକ ସମ୍ପଦର ବିପୁଳ ସମ୍ଭାର ରହିଥିବା ମୟୂରଭଞ୍ଜ ଜିଲ୍ଲାରେ ରହିଛି ଆୟୁର୍ବେଦିକ ଚିକିତ୍ସା ନିମନ୍ତେ ବ୍ୟାପକ ସୁଯୋଗ। ଚିକିତ୍ସା ବିଜ୍ଞାନରେ ଯେତେ ଉନ୍ନତି ଘଟିଲେ ମଧ୍ୟ ଆୟୁର୍ବେଦିକ ଚିକିତ୍ସାର ଆଦର ଆଜିକା ଦିନରେ ସର୍ବାଗ୍ରେ ରହିଛି। ବିଶେଷ କରି ଯେଉଁଦିନଠାରୁ କରୋନା ମହାମାରୀ ଆରମ୍ଭ କରିଛି ସେବେଠାରୁ ଏହି ଚିକିତ୍ସା ପ୍ରତି ବଢ଼ିଛି ଅହେତୁକ ବିଶ୍ବାସ ଓ ଭରସା। ମାତ୍ର ମୟୂରଭଞ୍ଜରେ କିନ୍ତୁ ଜନସାଧରଣ ଏହି ଚିକିତ୍ସାର ଲାଭ ନେଇପାରୁନାହାନ୍ତି। କାରଣ ଏଥିନିମନ୍ତେ ସୃଷ୍ଟି ହୋଇପାରୁନାହାନ୍ତି ଚିକିତ୍ସକ। କାରଣ ଜିଲ୍ଲାରେ ଥିବା ଏକମାତ୍ର ଆୟୁର୍ବେଦିକ ମହାବିଦ୍ୟାଳୟ ଏକପ୍ରକାର ପଙ୍ଗୁ ହୋଇପଡ଼ିଛି। କେବଳ ରାଜନୈତିକ ଦଳ ଗୁଡ଼ିକ ନିମନ୍ତେ ହୋଇପଡ଼ିଛି ଏକ ପ୍ରସଙ୍ଗ। ଅନ୍ୟଥା ଆଉ କିଛି ନାହିଁବୋଲି ମତପ୍ରକାଶ ପାଇଛି।
ବାରିପଦାରେ ଥିବା ଆୟୁର୍ବେଦିକ ମହାବିଦ୍ୟାଳୟର ପରିଚାଳନା ଓ ରକ୍ଷଣାବକ୍ଷେଣ ଭାର ସରକାର ହାତକୁ ନେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩ ଡିସେମ୍ବର ଏବଂ ୨୦୧୯ ଜାନୁଆରୀରେ ବାରିପଦା ଛଉପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଘୋଷଣା କରିଥିଲେ। ମାତ୍ର ଅଦ୍ୟାବଧି ଏହା କାର୍ୟ୍ୟକାରୀ ହୋଇପାରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ ପଥର ତଳେ ରହିଯାଇଛି ଏହାର ଭାଗ୍ୟ। ଅଧିକନ୍ତୁ, ୨୦୧୬ ନଭେମ୍ବର ୮ରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ମହାବିଦ୍ୟାଳୟର ପରିଚାଳନା ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠି(ଡିଏମଏଫ)ରୁ ଅନୁଦାନ ଯୋଗାଇ ଦେବାର ନିଷ୍ପତ୍ତି ନିଆଯାଇଥିଲା। ୨୦୧୬ ଡିସେମ୍ବର ୧୨ରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟକୁ ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲେ ମଧ୍ୟ ଅଦ୍ୟାବଧି କାଣି କଉଡ଼ିଟିଏ ମିଳିପାରି ନାହିଁ।
ସୂଚନାଯୋଗ୍ୟ ଯେ, ୧୯୮୩ରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନ ଏକ ସରକାରୀ କମିଟି ଦ୍ୱାରା ପରିଚାଳିତ ହେଉଥିଲା। ମାତ୍ର ପରବର୍ତ୍ତି ସମୟରେ ଏହା ରାଜ୍ୟ ସରକାରଙ୍କ ହାତକୁ ଯାଇଥିଲା। ଏନେଇ ୨୦୦୫ ଡିସେମ୍ବର ୨୦ରେ ତତ୍କାଳୀନ ଜିଲ୍ଲାପାଳ ତଥା ଆଜିର ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ସର୍ବସମ୍ମତିକ୍ରମେ ଏହି ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ସରକାରୀ ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ୨୦୦୮ରେ କେନ୍ଦ୍ର ସରକାର ଏଠାରେ ନୂତନ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ପ୍ରତ୍ୟାହାର କରିନେଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ଆଦିତ୍ୟ କୁମାର ପଣ୍ଡା ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ମହାବିଦ୍ୟାଳୟରେ ନାମଲେଖାକୁ କୌଣସି କାରଣ ନଥାଇ ପ୍ରତ୍ୟାହାର ନିମନ୍ତେ ନିର୍ଦ୍ଦେଶନାମା ଜାରି କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏକ କମିଟି ମହାବିଦ୍ୟାଳୟ ପରିଦର୍ଶନ କରି ସକରାତ୍ମକ ରିପୋର୍ଟ ଦେଇଥିବା ସେ କହିଛନ୍ତି। ଏହି ପ୍ରସଙ୍ଗରେ କିନ୍ତୁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜେପି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଲୋକଦେଖାଣିଆ ଏବଂ ଭୋଟ୍ ହାସଲ ନିମନ୍ତେ ଉଦ୍ଦିଷ୍ଟ ଥିଲା ବୋଲି ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ର ଅଭିଯୋଗ କରିଛନ୍ତି। ମୟୂରଭଞ୍ଜବାସୀଙ୍କୁ ରାଜ୍ୟ ସରକାର କେବଳ ଭୁଆଁ ବୁଲାଉଥିବା ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରୋଣୋଦିତ ଥିଲା ବୋଲି କହିଛି କଂଗ୍ରେସ ନେତା ଯୋଗେଶ ଅଗ୍ରୱାଲା। କେବଳ ରାଜନୈତିକ ଫାଇଦା ହାସଲ ପାଇଁ ବିଜେଡି ସରକାର ଏହାକୁ ଉପଯୋଗ କରୁଥିବା ଶ୍ରୀ ଅଗ୍ରୱାଲା ଅଭିଯୋଗ କରିଛନ୍ତି। ଏନେଇ ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତି କହିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନର ପୁନରୁଦ୍ଧାର ନିମନ୍ତେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କର ଆଦୌ ଆନ୍ତରିକତା ନାହିଁ। କେବଳ ଭାଷଣବାଜି ଏବଂ ଘୋଷଣାରେ ଏହି ଶିକ୍ଷାନୁଷ୍ଠାନର ଭାଗ୍ୟ ଲଟକିଥିବା ସେ ମତବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/ay.jpg)