ବନ୍ଧନ ବ୍ୟାଙ୍କ ଡକାୟତିର ପର୍ଦ୍ଦାଫାସ : ବ୍ୟାଙ୍କ ଲୁଟିଥିଲେ ବ୍ୟାଙ୍କ ଅଧିକାରୀ
ଶାଖା ପରିଚାଳକଙ୍କ ସମେତ ୩ ଗିରଫ, ୩ ଲକ୍ଷ ୪୦ ହଜାର ଟଙ୍କା ଜବତ
ବାରିପଦା/ବଡ଼ସାହି : ବହୁଚର୍ଚ୍ଚିତ ବଡ଼ସାହି ବନ୍ଧନ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ମୟୂରଭଞ୍ଜ ପୁଲିସ। ଏହି ବ୍ୟାଙ୍କ ଡକାୟତିର ମାଷ୍ଟର ମାଇଣ୍ଡ ଖୋଦ୍ ବ୍ୟାଙ୍କର ଦୁଇଜଣ ଅଫିସର ଥିଲେ ବୋଲି ମୟୂରଭଞ୍ଜ ଏସ୍ପି ଅବିନାଶ କୁମାର କହିଛନ୍ତି। ଗତ ୫ ତାରିଖରେ ବ୍ୟାଙ୍କ ଡକାୟତି ଘଟଣାଟି ସଂପୂର୍ଣ୍ଣ କଳ୍ପନା ପ୍ରସୂତ ଓ ବ୍ୟାଙ୍କ ଅଧିକାରୀଙ୍କ ନାଟକବାଜି ଥିଲା। ଏହି ଦୁଇ ବ୍ୟାଙ୍କ ଅଧିକାରୀ ଖୋଦ୍ ଟଙ୍କାକୁ ଗାଏବ କରି ଚୋରି ହୋଇଯାଇଥିବା ନେଇ ଥାନାରେ ମିଛ ଏତଲା ଦେଇଥିଲେ। ମାତ୍ର ପୁଲିସର ଟିକେ ଖୋଳତାଡ଼ପରେ ଏ ଦୁଇ ଅଫିସରଙ୍କ ଚାଲ୍ ଧରାପଡିଯାଇଥିଲା। ଆଜି ସେମାନଙ୍କଠାରୁ ଲୁଟ୍ ହୋଇଥିବା ସମସ୍ତ ୩ ଲକ୍ଷ ୪୦ ହଜାର ଟଙ୍କା ଉଦ୍ଧାର କରାଯିବା ସହିତ ଲୁଟ୍ ବେଳେ ବ୍ୟବହୃତ କାର୍, ୩ଟି ମୋବାଇଲ୍ ଫୋନ, ଜବତ ହୋଇଛି। ଦୁଇ ବ୍ୟାଙ୍କ ଅଧିକାରୀଙ୍କ ମଧ୍ୟରୁ ଭଜନ କର, ଶାଖା ପରିଚାଳକ ଥିବା ବେଳେ ସୀତାରାମ ସାହୁ ଡୋର୍ ଷ୍ଟେପ୍ ବ୍ୟାଙ୍କିଙ୍ଗ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କ ବନ୍ଧୁ ବ୍ରଜଶେଖର ପ୍ରଧାନକୁ ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ; ଗତ ୫ ତାରିଖରେ ବଡ଼ସାହି ବ୍ଲକ୍ ଅନ୍ତର୍ଗତ ମାଣିତ୍ରୀ ବନ୍ଧନ ବ୍ୟାଙ୍କର ଡୋର୍ ଷ୍ଟେପ୍ ବ୍ୟାଙ୍କିଂ ଅଫିସର ସୀତାରାମ ସାହୁ ବଡ଼ସାହି ଥାନାରେ ଏକ ଏତଲା ଦେଇଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ବ୍ୟାଙ୍କ ମ୍ୟାନେଜର ଭଜନ କର ବାରିପଦାରୁ ୩ ଲକ୍ଷ ୪୦ ହଜାର ଟଙ୍କା ନେଇ ମାଣିତ୍ରୀ ଅଭିମୁଖେ ଆସୁଥିବାବେଳେ ମାଣିତ୍ରୀଠାରୁ ଅଳ୍ପ ଦୂରରେ ଏହି ଟଙ୍କା ଲୁଟ୍ ହୋଇଯାଇଥିଲା। କିଛି ବନ୍ଧୁକଧାରୀ ବ୍ୟକ୍ତି ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ସୀତାରାମଙ୍କଠାରୁ ଅଭିଯୋଗ ପାଇବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ପୁଲିସର ସନ୍ଦେହ ହେବାରୁ ଖୋଦ୍ ଅଭିଯୋଗକାରୀ ସୀତାରାମ ସାହୁଙ୍କ ଫୋନ୍ ଟ୍ରାକିଂ କରାଯାଇଥିଲା। ଏହାପରେ ଆଉ ଜଣେ ସନ୍ଦିଗ୍ଧଙ୍କର ଏଥିରେ ସଂପୃକ୍ତି ନେଇ ପୁଲିସ ଜାଣିବାକୁ ପାଇଥିଲା। ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା କଳମା ଗାଁର ବ୍ରଜଶେଖର ପ୍ରଧାନ ଏହି ଡକାୟତି ଘଟଣାର ଅନ୍ୟତମ ମାଷ୍ଟର ମାଇଣ୍ଡ ଥିବା ପୁଲିସ ସୂଚନା ପାଇଥିଲା। ଏହାପରେ ଡକାୟତିର ପର୍ଦ୍ଦାଫାସ ପାଇଁ ମୟୂରଭଞ୍ଜ ଏସ୍ପିଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା ଦୁଇଟି ତଦନ୍ତକାରୀ ଦଳ।
ଗୋଟିଏ ଟିମ୍ କଳମା ଗାଁରେ ପହଞ୍ଚି ଲୁଟ୍ ୩ ଲକ୍ଷ ୪୦ ହଜାର ଟଙ୍କା ଜବତ କରିବା ସହ, ବ୍ରଜକୁ ଉଠାଇ ଆଣିବା ପରେ ସେ ସବୁକିଛି ମାନିଯାଇଥିଲା। ବ୍ରଜଶେଖର ଓରଫ୍ ମିଲୁ ବନ୍ଧନ ବ୍ୟାଙ୍କ ଅଫିସର ସୀତାରାମ ସାହୁ ଓ ଭଜନ କରର ବନ୍ଧୁ ଥିଲା। ଘଟଣା ଦିନ ଦୁଇ ବ୍ୟାଙ୍କ ଅଧିକାରୀ ବ୍ରଜଶେଖରଙ୍କୁ ଫୋନ୍ କରି ଡକାୟତିର ଚୂଡ଼ାନ୍ତ ଯୋଜନା ସଂପର୍କରେ ଜଣାଇଥିଲେ। ଏମାନଙ୍କଠାରୁ ଫୋନ୍ କଲ ପାଇ ବ୍ରଜଶେଖର ନିଜ ହୋଣ୍ଡା ସାଟି କାର୍ (ଏମ୍ଏଚ୍୦୧ଭିଏ୭୯୫) ଧରି ବେତନଟୀରେ ପହଞ୍ଚିଥିଲେ। ପୂର୍ବରୁ ବେତନଟୀରେ ଅପେକ୍ଷା କରିଥିବା ଦୁଇ ବ୍ୟାଙ୍କ ଅଧିକାରୀ ଏକ କଳାବ୍ୟାଗ୍ରେ ଥିବା ନଗଦ ୩ ଲକ୍ଷ ୪୦ ହଜାର ଟଙ୍କାକୁ ବନ୍ଧୁ ବ୍ରଜଶେଖରକୁ ଦେଇ ଦୁହେଁ ପୁଣି ବଡ଼ସାହିକୁ ଫେରିଯାଇଥିଲେ। ବ୍ରଜଶେଖର ଟଙ୍କା ବ୍ୟାଗ ଧରି ରାଇବଣିଆ ଚାଲିଯାଇଥିବା ବେଳେ, ବ୍ୟାଙ୍କ ଅଧିକାରୀ ବଡ଼ସାହି ଥାନାରେ ପହଞ୍ଚି ସମସ୍ତ ଟଙ୍କା ଲୁଟ୍ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ଟଙ୍କା ଲୋଭରେ ସେମାନେ ଏଭଳି କାଣ୍ଡ କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଡିଏସ୍ପି ଭୁବନାନନ୍ଦ ଜେନା, ଡିଏସ୍ପି କ୍ରାଇମ୍ ପ୍ରଭାତ ବିଶ୍ୱାଳ, ଡିଏସ୍ପି ଡିଆବି ଦିଲ୍ଲୀପ କୁମାର ପଟେଲ୍, ବଡ଼ସାହି ଥାନାଧିକାରୀ ଜୟରାମ ଖଣ୍ଡେଇ ପ୍ରମୁଖ ଉପସ୍ଥିତ ଥିଲେ।