ବରଯାତ୍ରୀ ପିକଅପ୍‌ ଓଲଟିଲା: ୩୬ ଗୁରୁତର

ବେତନଟୀ: ବେତନଟୀ ଥାନା ଅଧୀନ କାଠପାଳରୁ କୁଳିଅଣା ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ପିକଅପ୍‌ ନମ୍ବର ଓଆର୍‌୦୧ପି-୧୭୩୪ ତାରାକୋଟି ବଡ଼ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଅନ୍ୟୁନ ୩୬ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୨୦ଜଣ ଗୁରୁତର ଥିବା ଜଣାପଡିଛି। ଘଟଣାସ୍ଥଳରେ ବେତନଟୀ ଥାନା ଆଇଆଇସି ପର୍ଶୁରାମ ସାହୁ ଓ ବେତନଟୀ ଦମକଳବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସମସ୍ତ ଆହତଙ୍କୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯିବା ପରେ ଡାକ୍ତର ସସ୍ମିତା ବେହେରାଙ୍କ ନେତୃତ୍ବରେ ଡାକ୍ତରୀ ଟିମ୍‌ ଚିକିତ୍ସା ଚଳାଇଛନ୍ତି। ସଠିଲୋ ସରପଞ୍ଚ ବିଜୟ କୁମାର ସିଂ, ଜଗଦିଶ ସାହୁ, ତାଇକୋଣ୍ଡୋ ଜାତୀୟ ରେଫରୀ ଶିବଶଙ୍କର ମହାନ୍ତ ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ପିକଅପ୍‌ଟି ଓଲଟିବା ପରେ ମହାଦେବ ସିଂ ନାମକ ଜଣେ ଯୁବକଙ୍କ ପତ୍ତା ମିଳୁନାହିଁ। ଆହତମାନେ ବେତନଟୀ ଥାନା ଅଧୀନ କାଠପାଳ, ତୁଳସିଚୌରା, ପୁରୁଣାପାଣି ଓ ବଡ଼ସାହି ଥାନା ଅନ୍ତର୍ଗତ ଆସପନ୍ଦର ଅଞ୍ଚଳର ଲୋକ ବୋଲି ଜଣାପଡିଛି। ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ କୁନା ସିଂ, ମୋହନ ସିଂ, ବିକି ସିଂ, ନନ୍ଦ ସିଂ, କିଶୋର ସିଂ, ହେମନ୍ଦର ମୁର୍ମୁ, ସମରାଏ ମୁର୍ମୁ, ସଂଜୟ ସିଂ, ବିନୋଦ ସିଂ, ଜହ୍ଲାଦ ସିଂ, ଅଜିତ ସିଂ, ଉତ୍ତମ ସିଂ, କମଳାକାନ୍ତ ସିଂ, ଦିଲ୍ଲୀପ ସିଂ, ସାଇବା ସିଂ, ଗୌରହରି ସିଂ, ମଧୁ ସିଂ, ମୋହନ ସିଂ, କିଶୋର ସିଂ (୨) ଓ ଅନ୍ୟମାନେ ଗୁରୁତର ଥିବା ଜଣାପଡିଛି। ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ନ ଥିବାରୁ ଗୁରୁତରଙ୍କୁ ବାରିପଦା ସ୍ଥାନାନ୍ତର କରିବାରେ ସ୍ଥାନୀୟ ଡାକ୍ତରଖାନା ପକ୍ଷରୁ କଷ୍ଟକର ବ୍ୟାପାର ହୋଇପଡିଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖା ଦେଇଛି। ପିକଅପ୍‌ ଡ୍ରାଇଭର ଶମ୍ଭୁ ମଦପିଇ କରି ଗାଡ଼ି ଚଳାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଆହତ ବ୍ୟକ୍ତିମାନେ କହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର