ସୁଧୀର ମହାନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର କୋର୍ଟରେ ଆତ୍ମସମର୍ପଣ

ବାରିପଦା: ବାରିପଦା ସହରର ବହୁଚର୍ଚ୍ଚିତ ସୁଧୀର ମହାନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ ରାଜୁ ଦାସ ଗୁରୁବାର ବାରିପଦାସ୍ଥିତ ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛି। ରାଜା ଆତ୍ମସମର୍ପଣ କରିବା ପରେ ଜାମିନ୍‌ ପାଇଁ ଆବେଦନ କରିଥିଲା। ମାତ୍ର ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ୧୪ ଦିନ ଜେଲ୍‌ରେ ରହିବା ପରେ ରାଜାର ଶୁଣାଣି କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁଧୀର ମହାନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜା ଓରଫ ରାଜୁ ଦାସର ନିଜ ଘର ବାରିପଦା ପୌରପାଳିକାର ୧୫ ନମ୍ବର ୱାର୍ଡରେ ଏବଂ ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଛତ୍ରଛାୟା ତଳେ ରହି କାର୍ଯ୍ୟ କରୁଥିଲା। ରାଜନୈତିକ ଦଳର ସହାୟତାରେ ସେ ଆଜିଯାଏ ଲୁଚି ରହିଥିଲା। ମାତ୍ର ଚାପରେ ପଡ଼ି ଆଜି ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା।

ସୂଚନାଯୋଗ୍ୟ, ଜମି କିଣାବିକାକୁ ନେଇ ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ୧୮ ନମ୍ବର ୱାର୍ଡ଼ ଯମୁନାଦେଇପୁରରୁ ଅବସରପ୍ରାପ୍ତ ଅଧ୍ୟାପକ ଡ. ସୁଧୀର ମହାନ୍ତଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇ ହତ୍ୟା କରିଥିଲେ। ଏହି ଅପହରଣ ଓ ହତ୍ୟା ଘଟଣାରେ ପୁଲିସ ସେତେବେଳେ ବାରିପଦା ଦାରୋଗାଡାହିର ଶେଖ୍‌ ରାଜୁ (୨୯) ଏବଂ ବାଘଡ଼ାରୋଡ୍‌ର ଅଜୟ ପାତ୍ର (୩୨)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସ୍ୱର୍ଗତଃ ଅଧ୍ୟାପକଙ୍କର ଏକ ବଡ଼ (ଅଢ଼େଇ ଏକର) ଜମି ବିକ୍ରି ହେବାର ଥିଲା। ଏହାକୁ ସେ ୫୫ ଲକ୍ଷ ଟଙ୍କାରେ ବିକ୍ରି କରିବେ ବୋଲି ଚୂଡ଼ାନ୍ତ ହୋଇଥିଲା। ଏ ନେଇ ଅଧ୍ୟାପକଙ୍କ ପତ୍ନୀ ସ୍ନେହପ୍ରଭା ମହାନ୍ତ ଗତ ସେପ୍‌ଟେମ୍ବର ୨୬ରେ ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଖୋଳତାଡ଼ ଆରଂଭ କରିଥିଲା। ଅଭିଯୁକ୍ତମାନେ ଅଧ୍ୟାପକଙ୍କୁ ହତ୍ୟା କରି ବେତନଟୀ ନିକଟସ୍ଥ ଆମ୍ବଯୋଡ଼ା ଜଙ୍ଗଲ ମଧ୍ୟରେ ମାଟି ଖୋଳି ପୋତି ଦେଇଥିଲେ। ଏହି ଖବର ପୁଲିସ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ଶବ ଉଦ୍ଧାର କରାଯାଇଥିଲା। ତେବେ ପୁଲିସର ସନ୍ଧାନପରେ ରାଜା ଓରଫ ରାଜୁ ଦାସ ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର