ବାରିପଦା: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଅଢ଼େଇ ଘଣ୍ଟା ବନ୍ଦ ରହିଲା ସ୍ୱାସ୍ଥ୍ୟ ସେବା

ମୟୂରଭଞ୍ଜ: ଶନିବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିବାକୁ ନେଇ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ୍‌ ଆଣ୍ଡ ହସ୍ପିଟାଲ୍‌ରେ ଉତ୍ତେଜନା ଦେଖିବାକୁ ମିଳିଛି। ହୃଦ୍‌ରୋଗ ଆକ୍ରାନ୍ତ ହୋଇ ଝୁନୁ ଦାସ ନାମକ ରୋଗୀ ଗତକାଲି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ବାରିପଦା ହସ୍ପିଟାଲ୍‌ର ଡାକ୍ତରମାନେ ତାଙ୍କ ଚିକିତ୍ସା କରିବା ପରେ ତାଙ୍କ ଅବସ୍ଥା ଗୁରୁତର ଥିବା ହେତୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ନେଇ ଯିବାକୁ ସଂପର୍କୀୟଙ୍କୁ କହିଥିଲେ।

ମାତ୍ର ଆଜି ସକାଳେ ଝୁନୁଙ୍କର ମୃତ୍ୟୁ ଘଟିବା ପରେ ହସ୍ପିଟାଲ୍‌ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। ଝୁନୁଙ୍କ ସଂପର୍କୀୟ ଓ ହସ୍ପିଟାଲ୍‌ରେ ଥିବା ଅନ୍ୟ ରୋଗୀମାନେ ରାଗରେ ଆସି ଡାକ୍ତର ଓ ନର୍ସଙ୍କୁ ଆକ୍ରମଣ କରିଥିଲେ।

ଏହି ଘଟଣାକୁ ନେଇ ଦୀର୍ଘ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ହସ୍ପିଟାଲ୍‌ରେ ରୋଗୀ ସେବାରେ ବ୍ୟାଘାତ ଘଟିଥିଲା। ଡାକ୍ତରମାନେ ରୋଗୀଙ୍କ ଦେଖାଶୁଣା କରିନଥିଲେ। ଡାକ୍ତରମାନେ ରୋଗୀମାନଙ୍କୁ ଅବହେଳା କରୁଛନ୍ତି ବୋଲି ଅଭିଯୋଗ ଆଣି ବାରିପଦା ଟାଉନ୍‌ ଥାନାରେ ରୋଗୀ ଓ ତାଙ୍କ ପରିବାର ବର୍ଗ ମାମଲା ରୁଜୁ କରିବେବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ, ଡାକ୍ତରମାନେ ରୋଗୀଙ୍କ ପ୍ରତି ଅତି କଠୋର ଆଚରଣ କରିଥିବା ବି ଅଭିଯୋଗ ହୋଇଛି।

ରୋଗୀମାନେ ଅଭିଯୋଗ ଆଣି କହିଛନ୍ତି ଯେ ଡାକ୍ତରଖାନାରେ ସୁପରିଟେଣ୍ଡେଣ୍ଟ୍‌ ରହୁନଥିବା ହେତୁ ଏପରି ସବୁ ସମସ୍ୟା ଉପୁଜୁଛି। ଡାକ୍ତରଖାନାର ଦେଖାଶୁଣା କରିବା ପାଇଁ କେହି ହେଲେ ରହୁନାହାନ୍ତି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର