ଚାଲିଗଲେ ‘ଯୁଗେଚ୍ଛା’ର ଯୁଗସ୍ରଷ୍ଟା

‘ବିବର୍ଣ୍ଣ ପୃଥିବୀ’ର କର୍ଣ୍ଣଧାର ବିଜୟ’ଙ୍କୁ ଝୁରୁଛି ଭଞ୍ଜମାଟି, ବାରିପଦା ଥିଲା ତାଙ୍କ ଆତ୍ମାର ଅତି ନିଜର

ବାରିପଦା : ସେ ଥିଲେ ‘ବିବର୍ଣ୍ଣ ପୃଥିବୀ’ର କର୍ଣ୍ଣଧାର। ‘ଯୁଗେଚ୍ଛା ନାଟ୍ୟ ସଂସ୍ଥା’ର ଯୁଗସ୍ରଷ୍ଟା। ବାରିପଦା ଥିଲା ତାଙ୍କ ଆତ୍ମାର ସହର। ତାଙ୍କ ପାଇଁ ପୃଥିବୀର ଶ୍ରେଷ୍ଠ ସମ୍ପଦ ବାରିପଦାରେ ଥିବା ସେ ସ୍ବୀକାର କରିଛନ୍ତି। ଆଉ ଭଞ୍ଜମାଟି ହିଁ ଦେଇଥିଲା ଓଡ଼ିଆ ସ‌ିନେ ଜଗତକୁ ଜଣେ ବିବିଧ କଳାକାର। ଆଜି ଆଉ ନାହାନ୍ତି ‘ଯୁଗେଛା ନାଟ୍ୟ ସଂସ୍ଥା’, ‘ହିପି ସଂସ୍କୃତି’, ‘ବିବର୍ଣ୍ଣ ପୃଥିବୀ’ର ନାୟକ ବିଜୟ ମହାନ୍ତି। ତାଙ୍କର ଅବର୍ତ୍ତମାନରେ କଳାସଂସ୍କୃତିର ଅପୂର୍ବ ସମ୍ଭାର ରତ୍ନଗର୍ଭା ମୟୂରଭଞ୍ଜ ମାଟି ହରେଇଛି ଜଣେ ଯୋଗଜନ୍ମାଙ୍କୁ। ସେ ଯେପରି ଅଭିନୟ ପାଇଁ ହିଁ ଜନ୍ମ ହୋଇଥିଲେ। କେନ୍ଦ୍ରାପଡ଼ାରେ ଜନ୍ମ ହୋଇଥିଲେ ମଧ୍ୟ ମାତ୍ର ତିନି ବର୍ଷ ବୟସରୁ ହିଁ ବାରିପଦା ତାଙ୍କୁ ଆଦରି ନେଇଥିଲା। କଳାକାର ଜୀବନର ଅୟମାରମ୍ଭ ହୋଇଥିଲା ଏଇଠୁ।

ସ୍ବର୍ଗତ ବିଜୟ ମହାନ୍ତି ପ୍ରତିଷ୍ଠା କରିଥିଲେ ବାରିପଦାର ଅନ୍ୟତମ ପୁରାତନ ନାଟ୍ୟସଂସ୍ଥା ‘ଯୁଗେଛା ନାଟ୍ୟ ସଂସ୍ଥା’। ଏହି ନାଟ୍ୟ ସଂସ୍ଥାର ନାମକରଣ ପୂର୍ବରୁ ୧୯୭୨ମସିହାରେ ପ୍ରଥମେ ଏକ ଅନୁବାଦିତ ପ୍ରତୀକଧର୍ମୀ ନାଟକ ‘କୌଣସି ଏକ ଫୁଲର ନାମ ନିଅ’ ବାରିପଦାର ସେବାସଂଘ ହଲରେ ପରିବେଷଣ କରିଥିଲେ। ନିର୍ଦ୍ଦେଶନା ପସନ୍ନ ମହାନ୍ତି ଦେଇଥିଲେ, ପ୍ରଯୋଜନା ଥିଲା ଜୀବନ ମହାନ୍ତିଙ୍କର। ଅଭିନୟରେ ପ୍ରଫେସର୍‌ ଗୌରୀପଦ ତ୍ରିପାଠୀ, ଡାକ୍ତର ନନ୍ଦ ମହାନ୍ତି, ବିଜୟ ମହାନ୍ତି, ମଞ୍ଚସଜ୍ଜା ରବିନ ଦାସ, ମଞ୍ଚ ପରିଚାଳନା ସନ୍ତୋଷ ମହାନ୍ତି ଓ ସେବାନନ୍ଦ ନାରାୟଣ ଦେବ କରିଥିଲେ। ଏହା ପରଠାରୁ ସେ ପଛକୁ ଫେରିନାହାନ୍ତି। ‘ଯୁଗେଛା ନାଟ୍ୟ ସଂସ୍ଥା’ ମୟୂରଭଞ୍ଜର ପ୍ରଥମ ନାଟ୍ୟ ସଂସ୍ଥା ଭାବେ ଜାତୀୟସ୍ତରୀୟ ନାଟ୍ୟ ପ୍ରତିଯୋଗିତା ଆଲାହାବାଦଠାରେ ପରିବେଷଣ କରି ପ୍ରଶଂସିତ ହୋଇଥିଲା। ବିଜୟ ମହାନ୍ତି ବାରିପଦା ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟ କରି ମହାରାଜା ପୂର୍ଣ୍ଣଚନ୍ଦ୍ର ରାତ୍ରି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ଜାତୀୟ ନାଟ୍ୟ ବିଦ୍ୟାଳୟ, ନୂଆଦିଲ୍ଲୀରେ ଯୋଗ ଦେଇଥିଲେ। ‘ବାଇସ୍କୋପ’ ପୁରସ୍କାର ପାଇବା ଅବସରରେ ତାଙ୍କର ନାଟ୍ୟକଳାର ପୀଠ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ ଓ ସେବାସଂଘ ହଲର ସ୍ମୃତି ଚାରଣ କରିଥିଲେ ଜୀବନ ରଙ୍ଗମଞ୍ଚରୁ ବିଦାୟ ନେଇଥିବା ଏହି ଦଣ୍ଡା ବାଳୁଙ୍ଗା। ପୁଅ ମୋର କଳାଠାକୁରରେ ତାଙ୍କର ନିଖୁଣ ଅଭିନୟ ସବୁବେଳେ ଜୀବନ୍ତ ହୋଇ ରହିବ। ନିର୍ଦ୍ଦେଶକ ଧୀର ବସାଙ୍କ ୩ଟି ଟେଲିଫିଲ୍ମରେ ମଧ୍ୟ କାର୍ଯ୍ୟ କରିଥିଲେ। ବିଜୟ ମହାନ୍ତି ତାଙ୍କୁ ନିର୍ଦ୍ଦେଶକ କରାଇ ଦେଇଛନ୍ତି ବୋଲି ଶ୍ରୀ ବସା କହିଛନ୍ତି। ଉତ୍ତମ ମହାନ୍ତି, ଅସିତ ପତିଙ୍କ ସମେତ ବାରିପଦାର ବହୁ ପ୍ରତିଷ୍ଠିତ ନାଟ୍ୟ ନିର୍ଦ୍ଦେଶକ, କଳାକାର, ସଙ୍ଗୀତଜ୍ଞ, ଗୀତିକାରଙ୍କ ସହିତ ବିଜୟଙ୍କର ଥିଲା ଗଭୀର ଆତ୍ମୀୟ ସମ୍ପର୍କ। କହିବାକୁ ଗଲେ, ମୟୂରଭଞ୍ଜର ମାଟି ପାଣି ପବନରେ ଥିଲା ବିଜୟଙ୍କର ବାସ୍ନା।

ସମ୍ବନ୍ଧିତ ଖବର