ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଆଖିରେ ରଖି ବିଜେଡିର ଗୋଟି ଚାଳନା ! ପ୍ରତି ଜିଲ୍ଲାରେ କ୍ରିକେଟ୍, ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କରିବ ଦଳ, ମୟୂରଭଞ୍ଜରୁ ଶୁଭାରମ୍ଭ

ଭୁବନେଶ୍ବର: ଖେଳ କରିବ ବିଜେଡି ! ଏହି ବାକ୍ୟଟି ଆପଣଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିପାରେ। ବିଜୁ ଜନତା ଦଳ ପୁଣି କି ଖେଳ କରିବ?  ହେଲେ ଏହା ପଛର କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରାଜ୍ୟରେ କ୍ରମାଗତ ବଢିଚାଲିଛି । ହେଲେ ବିଭିନ୍ନ ସର୍ଭେ ରିପୋର୍ଟ କହୁଛି, ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ବିଶେଷ କରି ଯୁବକ ଓ ଛାତ୍ରଗୋଷ୍ଠୀ ବିଜେପି ଆଡ଼କୁ ଢଳୁଥବା ଲକ୍ଷ୍ୟ କରାଯାଉଛି । ସେହି ଆଶଙ୍କାରେ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ଭୋଟ ବ୍ୟାଙ୍କ ଉପରେ ଆଖି ପକାଇ ଅତ୍ୟନ୍ତ ଚତୁରତାର ସହ  ରାଜନୈତିକ ଗୋଟି ଚାଳନା କରିଛି ବିଜୁ ଜନତା ଦଳ ।

ଖେଳ ପ୍ରତି ଯୁବକ ଓ ଛାତ୍ରମାନଙ୍କର ସଂପୃକ୍ତି ଅଧିକ । ତେଣୁ ବିଜେଡିର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି କରିଛନ୍ତି ଏଣିକି ଖେଳକୁ ରାଜନୈତିକ ପ୍ରୋତ୍ସାହନ ଦେବାକୁ ପଡ଼ିବ। ଅର୍ଥାତ ପ୍ରତି ଜିଲ୍ଲାରେ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଂଟ କରିବ ବିଜୁ ଜନତା ଦଳ । ଜିଲ୍ଲାସ୍ତରୀୟ ଏହି କ୍ରୀଡା ପ୍ରତିଯୋଗିତାର ଆୟୋଜନ ସରକାର କରିବେ ନାହିଁ ବଂର ଶାସକ ଦଳ କରିବ । ମିଳିଥିବା ସୂଚନା ଅନୁସାରେ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଂଜ ଜିଲ୍ଲାର ପ୍ରଭାରୀ ଅଛନ୍ତି । ତେଣୁ ମୟୁରଭଂଜ ପ୍ରିମିୟର ଲିଗରୁ ଏହି ପରୀକ୍ଷାନିରୀକ୍ଷା ଆରମ୍ଭ କରିବାକୁ ଯାଉଛି ଦଳ।

ଏ ପଟେ ବିଜେଡିର ଏହି ଖେଳ ରାଜନୀତିକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧୀ । ପିିସିସି ସଭାପତି କହିଛନ୍ତି, ରାଜ୍ୟରେ ଜିଲ୍ଲାସ୍ତରୀୟ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ କଂଗ୍ରେସ ଅମଳରେ ପ୍ରୟାସ ଆରମ୍ଭ ହୋଇଥିଲା । ଏବେ ବିଜେଡି ପାଖରେ ପ୍ରଚୁର ପଇସା ଥିବାରୁ ଏହାକ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଇଥିବା ସେ ଅଭିଯୋଗ ବାଢିଛନ୍ତି । ସେପଟେ ବିଜେପି କହିଛି ନିର୍ବାଚନ ଆସିଲେ ବିଜେଡିର ଯୁବକ ଓ ଛାତ୍ରଙ୍କ କଥା ମନେପଡେ ।

ସମ୍ବନ୍ଧିତ ଖବର