ରାଇରଙ୍ଗପୁର: ବାଇକ୍ ଧକ୍କାରେ ନାତୁଣୀ ମୃତ, ଆଈ ଓ ନାତି ଗୁରୁତର

ରାଇରଙ୍ଗପୁର: ଆଈ ସହିତ ନାତି ଓ ନାତୁଣୀ ଗଛ ମୂଳେ ବସିଥିବା ବେଳେ ବାଇକ୍ ଧକ୍କା ଦେବାରୁ ଦୁଇ ବର୍ଷର ନାତୁଣୀ ମୃତ୍ୟୁବରଣ କରିଥିବା ବେଳେ ନାତି ଓ ଆଈ ଗୁରତର ଆହତ ହୋଇଥିବା ସୂଚନା ମିଳିଛି । ମୃତ ନାତୁଣୀ ଜଣକ ମହାଲକ୍ଷ୍ମୀ ମୁର୍ମୁ ବୋଲି ଜଣାପଡିଛି । ଦୁର୍ଘଟଣାଟି ଘଟିଛି ମୟୂରଭଞ ଜିଲ୍ଲା ବାଦାମପାହାଡ ଥାନା ସୁଲେଇପାଟ ଫାଣ୍ଡି ଅର୍ନ୍ତଗତ କୁଲଡିହା-ଜୟପୁର ରାସ୍ତାରେ।

ସୂଚନା ଅନୁଯାୟୀ କୁଲଡିହା ଗ୍ରାମର ଚାଷୀ ପରିବାର ବିଲ କାମ ସାରି ରାସ୍ତା କଡରେ ଥିବା ଗଛମୂଳେ ବିଶ୍ରାମ ନେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଆଈ ସାକ୍ରୋ ମାଝୀ, ତାଙ୍କ ନାତି ରାଜକୁମାର ଓ ନାତୁଣୀ ମହାଲକ୍ଷ୍ମୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବର୍ଷର ନାତୁଣୀର ମୃତ୍ୟୁ ହୋଇଥିବା ବେଳେ ନାତି ଓ ଆଈଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଆଈଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ସୁଲେଇପାଟ ଫାଣ୍ଡି ଅଧିକାରୀ ଅବନୀ ପଣ୍ଡା କେସ୍ ନଂ ୮୨/୨୧ ରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ବାଇକକୁ ପୁଲିସ ଜବତ କରିଥିବା ବେଳେ ଚାଳକ ଫେରାର୍ ଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର