ବାଙ୍ଗିରିପୋଷି: ରବିବାର ସକାଳ ପ୍ରାୟ ସାଢ଼େ ଦଶଟା ବେଳେ ଝାରପୋଖରିଆ ଥାନା ବାରିପଦା-ଝାରପୋଖରୀଆକୁ ସଂଯୋଗ କରୁଥିବା ୧୮ ନମ୍ବର ଜାତୀୟ ରାଜପଥର ଧାଙ୍ଗିଡ଼ିଶୋଳ ସତ୍ସଙ୍ଗ ବିହାର ନିକଟରେ ଟ୍ରାକ୍ଟର୍ ପଛରେ ଧକ୍କା ଦେଇ ଜଣେ ବୟସ୍କ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।
ମୃତ ବାଇକ୍ ଆରୋହୀ ହେଉଛନ୍ତି ଦିଘି ଗ୍ରାମର ୭୦ ବର୍ଷିୟ ସହଦେବ ପରିଡ଼ା। ସହଦେବ ସ୍ଥାନୀୟ ମାଂସ ଦୋକାନରୁ ମାଂସ କିଣି ବାଇକ୍ ଚଳାଇ ଘରକୁ ଫେରୁଥିଲେ। ସାମ୍ନାରୁ ଗୋଟାଏ ଗାଡ଼ି ଆସୁଥିବା ଦେଖି କୌଣସି କାରଣରୁ ସହଦେବ ନିଜ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ପୂର୍ବରୁ ରାସ୍ତାର ଗୋଟେ ପଟକୁ ରଖାଯାଇଥିବା ଏକ ଟ୍ରାକ୍ଟର ପଛରେ ଧକ୍କା ଖାଇଥିଲା।
ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲେ ବି ୧୦୮ ଆମ୍ବୁଲାନ୍ସ୍ ଡକାଯାଇ ତାଙ୍କ ଶବକୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜକୁ ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାାଯାଇଥିବା କଥା ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।
ଘଟଣା ଯୋଗୁଁ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ରାସ୍ତା ବନ୍ଦ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରାଇବା ପରେ ରାସ୍ତା ଅବରୋଧ ହଟିଥିଲା।