ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ! ମାଉସୀକୁ କୁରାଢ଼ୀରେ ହାଣି ହତ୍ୟା କଲା ପୁତୁରା

ରାଇରଙ୍ଗପୁର/ ଗୋରୁମହିଷାଣୀ : ଡାହାଣୀ ସନ୍ଦେହରେ ମାଉସୀକୁ ହତ୍ୟା ଅଭିଯୋଗ। କୁରାଢ଼ୀରେ ହାଣି ମାଉସୀକୁ ଅତି ନୃଶଂସ ଭାବେ ହତ୍ୟା କରିଛି ପୁତୁରା। ବହଲଦା ଥାନା ଅଁଳାଯୋଡ଼ି ପଞ୍ଚାୟତ ଡକଡିହା ଗ୍ରାମରେ ଘଟିଛି ଏ ଘଟଣା। ଅସନା ପଞ୍ଚାୟତ ଚହଲାପଦା ଗାଁର କାନ୍ଦ୍ରା ନାଏକ ଗତକାଲି ତାଙ୍କ ମାମୁ ଘର ଡକଡିହାକୁ ଆସିଥିଲେ। ରାତିରେ ସମସ୍ତେ ଖାଇସାରି ଶୋଇବା ପରେ ହଠାତ କାନ୍ଦ୍ରା ମାଉସୀ ଜାଉନୀ ନାଏକ(୫୮)କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଜାଉନୀଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳୁ କାନ୍ଦ୍ରା ଅନ୍ୟମାନଙ୍କୁ ମଧ୍ୟ ମାରିବାକୁ ଗୋଡ଼ାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଡାହାଣୀ ସନ୍ଦେହରେ ହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ପୁଲିସ ଏ ସଂକ୍ରାନ୍ତରେ କିଛି କହିନାହିଁ। ପୁଲିସ ଘଟଣା ସମ୍ବନ୍ଧରେ ଖବର ପାଇବା ପରେ ଅଭିଯୁକ୍ତ କାନ୍ଦ୍ରା ନାଏକଙ୍କୁ କାବୁ କରି ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ କୁରାଢ଼ୀକୁ ଜବତ କରିଛି। ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବହଳଦା ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ଏନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୨୦/୨୦) ରୁଜୁ ହୋଇଛି। ଡାହାଣୀ ଗୁଣି ଗାରେଡ଼ିକୁ ନେଇ ବିଭିନ୍ନ ସମୟରେ ଅପରାଧ ଘଟୁଛି। ଏ ତାଲିକାରେ ମୟୂରଭଞ୍ଜର ତାଲିକା ଉପରେ ରହିଛି। ବାରମ୍ବାର ସଚେତନତା କାର୍ଯ୍ୟକ୍ରମ, କଠୋର ଆଇନ ଆସିଥିଲେ ମଧ୍ୟ ଏଭଳି ଅପରାଧ ସମ୍ପୂର୍ଣ୍ଣ ଭାବେ ରୋକାଯାଇପାରୁନି।

ସମ୍ବନ୍ଧିତ ଖବର