ଉଦଳା: ଯାଞ୍ଚ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡ଼ିଛନ୍ତି ଉଦଳା ଡାକବିଭାଗର ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର ପୃଷ୍ଟି। ଗତକାଲି ରାତି ପ୍ରାୟ ୮ଟା ସମୟରେ ଉଦଳା-ବାରିପଦା ରାସ୍ତାର ମଧୁମଗ୍ନା ଲଜ୍ ନିକଟରେ ଏହି ଚଢଉ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ରଖି ପଚରାଉଚରା କରାଯାଇଥିଲା ।ପରେ ତାଙ୍କୁ ଭୁବନେଶ୍ବର ନିଆଯାଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ ସାଂଇକୁଳା ଅଞ୍ଚଳର ମଳୟ କୁମାର ବେହେରା କୁଶଳଦା ପୋଷ୍ଟ ଅଫିସର ଜିଡିଏସ-ବିପିଏମ ଭାବେ କାର୍ଯ୍ୟ କରନ୍ତି। ପୋଷ୍ଟ ଅଫିସରେ କାମ କରିବା ସହିତ ମଳୟ ଶିକ୍ଷକ ଚାକିରୀ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ନିକଟରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଏହାପରେ ତାଙ୍କୁ ଡାକବିଭାଗରୁ  ଇସ୍ଥଫା ଦେବାର ଥିବା ବେଳେ ଏ ନେଇ ପାଷ୍ଟୱାର୍କ ଯାଞ୍ଚ ପ୍ରମାଣପତ୍ରର ଆବଶ୍ୟକତା ଥିଲା। ତେବେ ମଳୟ ଉକ୍ତ ପ୍ରମାଣପତ୍ର ପାଇଁ ଆବେଦନ କରିବା ପରେ ପୋଷ୍ଟାଲ ଇନ୍ସପେକ୍ଟର ଶ୍ରୀ ପୃଷ୍ଟି ଏଥିପାଇଁ ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କାର୍ଯ୍ୟ ହେବା ଆଗରୁ ୧୦ ହଜାର ଏବଂ କାର୍ଯ୍ୟ ହେବା ପରେ ବାକି ଟଙ୍କା ଦେବାର ଥିଲା। ତେବେ ଟଙ୍କା ଦେବା ପାଇଁ ଅସମର୍ଥ ଥିବାରୁ ମଳୟ ସିବିଆଇର ସାହାଯ୍ୟ ଲୋଡ଼ିଥିଲେ।

ସିବିଆଇ ମଳୟଙ୍କ ପାଖରୁ ସବୁ ଶୁଣିବା ପରେ ଶ୍ରୀ ପୃଷ୍ଟିଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ଅନୁଯାୟୀ ଗତକାଲି ସନ୍ଧ୍ୟା ବେଳେ ଶ୍ରୀ ପୃଷ୍ଟିଙ୍କୁ ତାଙ୍କ ବାସଭବନରେ ଟଙ୍କା ଦେବାର ଥିବା ବେଳେ ମଳୟ ୧୦ ହଜାର ଟଙ୍କା ନେଇ ଯାଇଥିଲେ। ତେବେ ଟଙ୍କା ଦେବା ସମୟରେ ହିଁ ପୂର୍ବରୁ ଛକି ବସିଥିବା ସିବିଆଇ ଏବଂ ଆଣ୍ଟି-କରପସନ୍ ବିଭାଗର ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ଚଢଉ କରିଥିଲା। ସିବିଆଇକୁ ଦେଖି ଶ୍ରୀ ପୃଷ୍ଟି ଟଙ୍କାଗୁଡିକ ଫୋପାଡ଼ି ଦେଇ ଦଉଡ଼ି ପଳାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ସିବିଆଇର ଡିଏସପି ଅଶୋକ କୁମାରଙ୍କ ନେତୃତ୍ୱରେ ୩ ଜଣ ଡିଏସପି ଏବଂ ୪ ଜଣ ଇନ୍ସପେକ୍ଟର ଏହି ଚଢଉରେ ସାମିଲ ହୋଇଥିଲେ। ଗିରଫ ପରେ ଅଭିଯୁକ୍ତ ଶ୍ରୀ ପୃଷ୍ଟିଙ୍କୁ ଉଦଳା ସ୍ଥିତ ପୂର୍ତ୍ତ ବିଭାଗ ର ଡାକବଙ୍ଗଳାରେ ରଖି ଅଧିକ ପଚରା ଉଚରା କରିଥିଲା ସିବିଆଇ।