ମୟୂରଭଞ୍ଜ: ପୂର୍ବରୁ ଗଡ଼ ଥିଲା, ଏବେ ସତ୍ତା ଖୋଜୁଛି କଂଗ୍ରେସ:ଦୁର୍ବଳ ନେତୃତ୍ବ କାରଣରୁ ଦିଗହରା ପ୍ରାର୍ଥୀ

ସରକାର ବିରୋଧୀ ହାୱାର ଫାଇଦା ନେବାରେ ବିଫଳ :ସଂଗଠନ ସଜାଡ଼ିବା ବଦଳରେ ବିଗାଡୁଛନ୍ତି ଜିଲ୍ଲା ମୁଖିଆ

ବାରିପଦା: ଏକଦା ମୟୂରଭଞ୍ଜକୁ କଂଗ୍ରେସର ଗଡ଼ ଭାବେ ବିବେଚନା କରାଯାଉଥିଲା। ପାରମ୍ପରିକ ଭୋଟ ବ୍ୟାଙ୍କ ସହିତ ଆଦିବାସୀ ଏବଂ ଅଣଆଦିବାସୀଙ୍କ ଭୋଟ କଂଗ୍ରେସ ଖାତାକୁ ଯାଉଥିଲା। କଂଗ୍ରେସରୁ ପ୍ରତିନିଧିତ୍ବ କରି ଏହି ଜିଲ୍ଲାର ଅନେକ ନେତା ନିଜକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଷ୍ଠିତ କରି ପାରିଛନ୍ତି। ମାତ୍ର ଏହି ଜିଲ୍ଲାରେ ଆଜି ସତ୍ତା ଖୋଜୁଛି କଂଗ୍ରେସ। ଚଳିତ ନିର୍ବାଚନରେ ଜିଲ୍ଲାର ଏକାମାତ୍ର ଲୋକସଭା ଆସନ ସମେତ ବାଙ୍ଗିରିପୋଷି, ସାରସକଣା ଓ ରାଇରଙ୍ଗପୁର ଆସନକୁ ଛାଡ଼ି ଦଳ ବାକି ୬ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। ମାତ୍ର ଦୁର୍ବଳ ଜିଲ୍ଲା ନେତୃତ୍ବ କାରଣରୁ ପ୍ରାର୍ଥୀମାନେ ଦିଗହରା ହୋଇ ପଡ଼ିଛନ୍ତି। ଏପରିକି ଜିଲ୍ଲାରେ ଥିବା ସରକାର ବିରୋଧୀ ଅନ୍ତଃସ୍ରୋତର ଫାଇଦା ନେବାରେ ମଧ୍ୟ କଂଗ୍ରେସ ସମର୍ଥ ହୋଇପାରୁନି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
ଅ‌େନକ କଂଗ୍ରେସ କର୍ମୀଙ୍କ ମତ ‌େହଲା, ଏକ ନିର୍ଦ୍ଦିଷ୍ଟ କୋଟେରି ଭିତରେ ରହିଥିବା ଜିଲ୍ଲା କଂଗ୍ରେସର ନେତୃବୃନ୍ଦ ଦୁର୍ବଳ ସଂଗଠନକୁ ଯେପରି ସଜାଡ଼ିବାକୁ ଚାହୁଁନାହାନ୍ତି। ଅନେକ କ୍ଷେତ୍ରରେ ଜିଲ୍ଲା କଂଗ୍ରେସ ସଂଗଠନକୁ କ୍ରିୟାଶୀଳ କରିବାରେ ପ୍ରମୁଖ ଭୂମିକା ନେଇଥିବା ବହୁ ଯୁବ ଓ ବରିଷ୍ଠ ନେତାଙ୍କୁ ଉପେକ୍ଷା କରାଯିବା କାରଣରୁ ସେମାନେ ଆଜି ଦଳ ସହିତ ନାହାନ୍ତି। ଏଭଳି ଅସନ୍ତୋଷ କା‌ରଣରୁ ନିକଟରେ କଂଗ୍ରେସ ଛାଡ଼ିଥିବା ବରିଷ୍ଠ ନେତ୍ରୀ କମଳା ତିରିଆ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେହିପରି ବିଭିନ୍ନ ପ୍ରସଙ୍ଗକୁ ନେଇ ଜିଲ୍ଲାରେ କଂଗ୍ରେସକୁ ଏକପ୍ରକାର ବଞ୍ଚାଇ ରଖିଥିବା ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂ ମଧ୍ୟ ଆଜି କୋଣଠେସା ହୋଇପଡ଼ିଛନ୍ତି। ରାକେଶଙ୍କୁ ପ୍ରାର୍ଥିପତ୍ର ଦାଖଲରେ ମଧ୍ୟ ଦେଖିବାକୁ ମିଳିନଥିଲା। ଚଳିତ ନିର୍ବାଚନ ନିମନ୍ତେ ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିନରେ କଂଗ୍ରେସ ପକ୍ଷରୁ ହୋଇଥିବା ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସରେ ଥିବା ଫାଟ ଜଳଜଳ ହୋଇ ଦିଶିଥିଲା। ବାରିପଦା ଓ ବଡ଼ସାହି ପ୍ରାର୍ଥୀ ଗୋଟିଏ ଶୋଭାଯାତ୍ରାରେ ଏକାଠି ଆସିଥିବା ବେଳେ ମୋରଡ଼ା ପ୍ରାର୍ଥୀ ଆଉ ଏକ ଶୋଭାଯାତ୍ରାରେ ଆସିବା ଦେଖିବାକୁ ମିଳିଥିଲା।
ଜିଲ୍ଲା କଂଗ୍ରେସକୁ ମଜଭୁତ୍‌ କରିବା ପାଇଁ ପିସିସି ସଭାପତି ଯଥେଷ୍ଟ ପରିଶ୍ରମ କରିଛନ୍ତି। କିଛି ମାସ ତଳେ ପିସିସି ସଭାପତି ଜିଲ୍ଲାକୁ ମାରାଥନ୍‌ ଗସ୍ତ କରି ଜିଲ୍ଲାରେ କଂଗ୍ରେସ ପ୍ରତି ଗ୍ରହଣୀୟତା ସୃଷ୍ଟି କରିପାରିଥିଲେ। ମାତ୍ର ଦୁର୍ବଳ ଜିଲ୍ଲା ନେତୃତ୍ବ ଏହାକୁ ବଜାୟ ରଖିବାରେ ବିଫଳ ହୋଇଥିବା ରାଜନୈତିକ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ହେବ ଜିଲ୍ଲାରେ କଂଗ୍ରେସକୁ କ୍ରିୟାଶୀଳ କରି ରଖିଥିବା ନେତା ଦଳରୁ ମୁହଁ ମୋଡ଼ିବା କାରଣରୁ ଯୁବ ଭୋଟର ଏବଂ ବୁଦ୍ଧିଜୀବୀ କଂଗ୍ରେସଠାରୁ ଦୂରେଇ ଯାଉଥିବା ପରିଲକ୍ଷିତ ହୋଇଛି। ଅନ୍ୟ ଦଳର ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିସାରିଥିବାବେଳେ କଂଗ୍ରେସ ପ୍ରାର୍ଥୀମାନେ ଏହି କ୍ଷେତ୍ରରେ ବେଶ ପଛୁଆ ଥିବା ଜଣାପଡ଼ିଛି। ପିସିସି ସଭାପତି ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ଅନେକ ପୁରୁଖା କଂଗ୍ରେସ କର୍ମୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର