ରାଇରଙ୍ଗପୁର : ବିଦେଶରୁ ଫେରିଥିବା ୧୫ ଜଣଙ୍କ ଉପରେ ନଜର ରଖିଛି ପ୍ରଶାସନ। ଗତକାଲି ସିଙ୍ଗାପୁରର ଫେରିଥିବା ଏକ ଦମ୍ପତି ସେଲ୍ଫ କ୍ବାରାଣ୍ଟିନରେ ରହିଛନ୍ତି। ଏହି ସମୟ ଭିତରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଏକ ଟିମ୍ ସେମାନଙ୍କର ସ୍ବାସ୍ଥ୍ୟ ନିୟମିତ ପରୀକ୍ଷା କରିବେ। ସିଙ୍ଗାପୁରରୁ ଫେରିବା ପରେ ସେମାନେ ରାଇରଙ୍ଗପୁର ଡାକ୍ତରଖାନାରେ ପହଞ୍ଚିଥିଲେ। ସେମାନଙ୍କ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେଲ୍ଫ କ୍ବାରାଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବାରୁ କେହି ଆତଙ୍କିତ ହେବା ଦରକାର ନାହିଁ ବୋଲି କହିଛନ୍ତି ଏସଡିଏମଓ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତ।

Advertisment

ମୟୂରଭଞ୍ଜ ଜିଲ୍ଲାରେ ଏପର୍ଯ୍ୟନ୍ତ ୧୫ ଜଣ ବିଦେଶରୁ ଫେରିଥିବାବେଳେ ରାଇରଙ୍ଗପୁର ଡାକ୍ତରଖାନାରେ କିନ୍ତୁ ଆଇସୋଲେସନ ଵାର୍ଡ ପ୍ରସ୍ତୁତ ହୋଇନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ଵାର୍ଡ ପ୍ରସ୍ତୁତ କରାଯାଉଛି। ପୂର୍ବରୁ ଡେଙ୍ଗୁ, ସ୍ବାଇନ ଫ୍ଲୁ’ ଵାର୍ଡକୁ କରୋନା ପାଇଁ ପ୍ରସ୍ତୁତ କରାଯାଉଛି। ଗତରାତିରେ ୱାର୍ଡରେ ରଙ୍ଗ ଲଗାଯିବାପରେ ଆଜି ୱାର୍ଡ ଭିତରେ ଥିବା ପାଇଖାନା, ପରିସ୍ରାଗାର ଆଦି ପରିମଳ ବ୍ୟବସ୍ଥାର କାମ ଚାଲିଛି। ଭଙ୍ଗା ଦଦରା କବାଟ ଝରକାକୁ ହଟାଇ ନୂ୍ଆ କବାଟ ଝରକା ଲଗାଯାଉଛି। ଏପରିକି ଇଲେକ୍ଟ୍ରିକାଲ୍ କାମ ମଧ୍ୟ ହେଉଛି ବୋଲି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶ୍ୟାମସୁନ୍ଦର ହେମ୍ବ୍ରମ୍‌ ସୂଚନା ଦେଇଛନ୍ତି। ତେବେ ଗତ ୩ ବର୍ଷ ହେଲା ସ୍ବତନ୍ତ୍ର ଵାର୍ଡ ଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ଆଦୌ କରାଯାଇନଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।