ବାରିପଦା: ଉଦଳା ରାଢ଼ୋ ଲୁଇପା ଡ଼ିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଆଦିକନ୍ଦ ଦେଙ୍କ ବିରୋଧରେ ମହାଦୁର୍ନୀତିର ଅଭିଯୋଗ ଆଣି ଘଟଣା ଉପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା। ଏନେଇ ଆଜି ମହାବିଦ୍ୟାଳୟର ଅରବିନ୍ଦ ସେଠୀ, ସମୀର କୁମାର ନାୟକ, ହରପ୍ରିୟା ବେହେରା, ଗୀତିକା ଜେନା, ଜ୍ୟୋତିଶା ମାଝି, ମଧୁସ୍ମିତା ପାତ୍ର, ମନୋଜ ଦଳେଇ, ଗୌରାଙ୍ଗଚନ୍ଦ୍ର ମହାପାତ୍ର, ରାଜୀବ କୁମାର ଗିରି, ତପନ କୁମାର ସାହୁ, ଶୁଭଶ୍ରୀ ନନ୍ଦ, ବିପୀନ ବିହାରୀ ସିଂ, ପଙ୍କଜ କୁମାର ପଣ୍ଡା ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ଅଭିଯୋଗ ଅନୁସାରେ ଏହି ଅନୁଷ୍ଠାନର ଅଧ୍ୟକ୍ଷ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି କରିଛନ୍ତି ।
ୟୁଜିସି ପକ୍ଷରୁ ମହାବିଦ୍ୟାଳୟକୁ ଆସିଥିବା ଅନୁଦାନ ସହ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କର ଏରିଅର୍ ଟଙ୍କା, ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ୍ ଟଙ୍କା ସହ ମହାବିଦ୍ୟାଳୟର ପାଣ୍ଠିକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏହି ସମସ୍ତ ଅଭିଯୋଗକୁ ନେଇ ମହାବିଦ୍ୟାଳୟର ଅଧ୍ୟାପକ ସମୀର ରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କପ୍ତିପଦା ଉପଜିଲ୍ଲାପାଳ ଭଗବାନ ବେହେରା ଗତକାଲି କଲେଜରେ ପହଞ୍ଚି ତଦନ୍ତ କରିଥିଲେ ।
ଉପଜିଲ୍ଲାପାଳ ତଦନ୍ତ ଶେଷ କରି ଫେରିବା ସମୟରେ ମହାବିଦ୍ୟାଳୟର ଫାଟକ ସମ୍ମୁଖରେ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବା ଦାବିରେ ମହାବିଦ୍ୟାଳୟର ଛାତ୍ର ଓ ଅନ୍ୟ ଜଣେ ସ୍ଥାନୀୟ ବ୍ୟକ୍ତି ଜାତୀୟ ପତକା ଧରି ରାସ୍ତା ଅବରୋଧ କରିବା ସହ ଗାଡି ସମ୍ମୁଖରେ ଶୋଇ ଧାରଣାରେ ବସିଥିଲେ । ଉକ୍ତ ଘଟଣାରେ ଆଜି ଉଦଳା ଥାନା ଦାୟିତ୍ୱରେ ଥିବା ଖୁଣ୍ଟା ଥାନା ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ ଅଧ୍ୟାପକ ମନ୍ମଥ କୁମାର ପଣ୍ଡା(୪୮), ସୁଶାନ୍ତ କୁମାର ମଲ୍ଲିକ(୨୦) ଓ ରଞ୍ଜିତ୍ କୁମାର ବିଶ୍ୱାଳ(୨୪)ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ। ମାତ୍ର ଦୁର୍ନୀତିରେ ଲିପ୍ତ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଧ୍ୟାପକ ଅଧ୍ୟାପିକା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/IMG_20201022_121712.jpg)