ଦାମଙ୍କ ପାଇଁ ମହଙ୍ଗା ପଡ଼ିଲା ବାରିପଦା ସଭା

ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ନେଇ ସଭାରେ ଉଠିଲା ପ୍ରଶ୍ନ
ବୈଜୟନ୍ତଙ୍କ ଉପରେ ୮୦୦ କୋଟିର ବିଦ୍ୟୁତ ବିଲ୍ ବାକି କାହିଁକି?
ଶନିବାର ବାଲେଶ୍ୱରରେ ଥିଲେ, ସଭାକୁ ନଯାଇ ଫେରିଗଲେ ବୈଜୟନ୍ତ

ବାରିପଦା : ମୟୂରଭଞ୍ଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଷ୍ଠିତ ଭ୍ରଷ୍ଟାଚାର ବିରୋଧୀ ସମାବେଶ ଆଜି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାେମାଦର ରାଉତଙ୍କ ପାଇଁ ମହଙ୍ଗା ପଡିଛି। ଯଦିଓ ରାଜ୍ୟ ସରକାରଙ୍କ ବିରୋଧରେ ଡାକ୍ତର ରାଉତ ଗର୍ଜନ କରିଛନ୍ତି, ତଥାପି ଏହି ସମାବେଶ ତାଙ୍କ ଆଭିମୁଖ୍ୟକୁ ବିବଦମାନ କରିଛି। ଗୋଟିଏ ପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ଠାରୁ ଦୂରେଇ ଯାଇଛନ୍ତି। ବୈଠକରେ ଯୋଗଦେବାକୁ ସମ୍ମତି ଦେଇଥିଲେ। ଗତକାଲି ରାତିରେ ବାଲେଶ୍ବରରେ ଥିଲେ ହେଲେ ଆଜି ସଭାକୁ ଆସିଲେ ନାହିଁ। ଅନ୍ୟପଟେ ବୈଜୟନ୍ତଙ୍କ ବକେୟା ବିଜୁଳି ବିଲକୁ ନେଇ ସଭାରେ ଜଣେ ଯୁବକ ପ୍ରଶ୍ନ ଉଠାଇଥିଲେ। ଦାମଙ୍କୁ ହଟହଟା କରି ସଂପୃକ୍ତ ଯୁବକ ତାଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଯେ ଠିକ୍ ରାସ୍ତାରେ ନାହିଁ, ତାହାକୁ ପଦାରେ ପକାଇ ଦେଇଥିଲେ। କେବଳ ସେତିକି ନୁେହଁ, ପୂର୍ବରୁ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ତାଙ୍କ ସଭାରୁ ଦୂରେଇ ଯାଇଥିଲେ, ଆଜି ବରିଷ୍ଠ ସାମ୍ବାଦିକ ରବି ଦାସ ମଧ୍ୟ ଅନୁୁପସ୍ଥିତ ଥିଲେ।

ଆଜି ଆୟୋଜକମାନେ ଦାମ ବାବୁଙ୍କୁ ଏକ ମୋଟରସାଇକେଲ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ନେଇଥିେଲ। ଦାମ ତାଙ୍କ ଭାଷଣରେ କହିଥିଲେ, ଦୀର୍ଘ ୧୮ ବର୍ଷ ହେବ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଓ ହରିଜନ ଭାଇ ଭଉଣୀଙ୍କୁ କେବଳ ଧୋକା ଓ ପ୍ରବଞ୍ଚନା ଦେଇଚାଲିଛନ୍ତି। ତାଙ୍କ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ଜିଲ୍ଲାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯାଇଥିଲେ। ମାତ୍ର ଆଜି ଏମିତି ଗୋଟେ ଗାଁ ନାହିଁ ଯେଉଁଠି ମଦୁଆ ନାହାନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୨୦୧୪ ମସିହାରୁ ଅଦ୍ୟାବଧି ୩୫୦ କୋଟି ଟଙ୍କା ଲୁଟ୍‌ ହେଲାଣି। ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ଶହ ଶହ କୋଟି ଟଙ୍କାର ଚାରା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଏବ˚ ପାଣ୍ତିଆନ୍‌ ସାମିଲ୍‌ ଥିବା ଡ. ରାଉତ ଅଭିଯୋଗ କରିଥିଲେ।

ଦାମ ବାବୁ ଦୁର୍ନୀତି ବିେରାଧରେ ଗର୍ଜନ କରୁଥିବା ବେଳେ, ତାଙ୍କୁ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଥିଲା। ହଠାତ୍‌ ଶ୍ରୋତାଙ୍କ ମଧ୍ୟରୁ ଚନ୍ଦନ ନାମକ ଜଣେ ଯୁବକ ମଞ୍ଚକୁ ଉଠିଯାଇଥିଲେ। ବୈଜୟନ୍ତ ପଣ୍ତା ବକେୟା ରଖିଥିବା ୮୦୦କୋଟି ଟଙ୍କାର ବିଦ୍ୟୁତ ବିଲ୍‌ ସଂପର୍କରେ ଉତ୍ତର ଚାହିଁଥିଲେ ସେ। ଭାଷଣ ମଝିରେ ଏପରି ଅତର୍କିତ କାଣ୍ତ ଦାମଙ୍କୁ କିଛି ସମୟ ପାଇଁ ଅସ୍ତବ୍ୟସ୍ତ କରି ପକାଇଥିଲା। ପୁଲିସ୍‌ ଉକ୍ତ ଯୁବକଙ୍କୁ ଅକ୍ତିଆର‌୍‌କୁ ନେଇଥିଲା।

ଉଲ୍ଲେଖଯୋଗ୍ୟ, ଆଜିର ସଭାରେ ଦାମଙ୍କ ସହିତ ବୈଜୟନ୍ତ ପଣ୍ତା ଯୋଗଦେବେ ବୋଲି ଜୋର‌୍‌ଦାର‌୍‌ ପ୍ରଚାର ହୋଇଥିଲା। ଗତକାଲି ରାତିରେ ଶ୍ରୀ ପଣ୍ତା ବାଲେଶ୍ବରରେ ରାତ୍ରିଯାପନ କରିଥିଲେ। ମାତ୍ର ଅନ୍ତିମ ମୁହୂର୍ତ୍ତରେ ହିଁ ବାରିପଦା ଯାଇନଥିଲେ ସେ। ଶାରୀରିକ ଅସୁସ୍ଥତା କାରଣରୁ ଶ୍ରୀ ପଣ୍ତା ସଭାକୁ ଆସିପାରିନଥିବା ଦାମ ବାବୁ କହିଥିଲେ। ମାତ୍ର ସଭା ପାଇଁ ବାଲେଶ୍ବରରୁ ବାହାରିସାରିଥିବା ପୂର୍ବତନ ସା˚ସଦ ଅଧାବାଟରୁ ବାରିପଦା ନଆସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆଜିର ଭ୍ରଷ୍ଟାଚାର ବିରୋଧୀ ସମାବେଶରେ କୁଡ଼ମୀ ସେନା ଯୋଗଦେଇନଥିବା ସ˚ଗଠନ ପକ୍ଷରୁ ପ୍ରକାଶ। କୁଡ଼ମୀ ସମାଜ ବଦଳରେ ଆଜି କୁଡ଼ମୀ ସେନା ପ୍ରକାଶ ପାଇଥିଲା। ଏହାକୁ ସ˚ଗଠନ ପକ୍ଷରୁ ଅସ୍ବୀକାର କରାଯାଇଥିଲା।

ପୂର୍ବତନ ବିଧାୟକ ଯଜ୍ଞେଶ୍ବର ବାବୁ, ଶୁଭସାଇ ମିଶ୍ର, ନନ୍ଦ ମହାପାତ୍ର ପ୍ରମୁଖ ସଭାରେ ବକ୍ତବ୍ୟ ଦେଇଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ୍‌ ତଥା କୁଡ଼ମୀ ସମାଜ, ପଟ୍ଟାବିହୀନ ସ˚ଘ, ସୁବର୍ଣ୍ଣରେଖା ବୁଡ଼ି ଅଞ୍ଚଳରୁ ହଜାର ହଜାର ଲୋକ ଏହି ସଭାରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବନୀ ମହାନ୍ତ, ନନ୍ଦ ମହାପାତ୍ର, ବୈଦ୍ୟନାଥ ମହାନ୍ତ, ବସନ୍ତ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର