ତେଲକୋଇ: କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ ଆକୁଳ ପଞ୍ଚାୟତ ଵନ୍ଧନଝରୀ ଗ୍ରାମ ନିକଟସ୍ଥ ନୂଆମୁଣ୍ଡା ପୋଲ ତଳୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଏକ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ ତେଲକୋଇ ଥାନା କରମଙ୍ଗି ପଞ୍ଚାୟତ କୃଷ୍ଣପୁର ଗ୍ରାମର ନିରଞ୍ଜନ ନାଏକଙ୍କ ପୁଅ ବନମାଳୀ ନାଏକ (୪୫) ।
ଗତକାଲି ସନ୍ଧ୍ୟାରେ ସାପ୍ତାହିକ ହାଟରୁ ବନମାଳୀ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ତେବେ ସନ୍ଧ୍ୟା ପ୍ରାୟ ସାଢେ଼ ସାତଟାରେ ସ୍ଥାନୀୟ ଯୁବକମାନେ ପୋଲ ନିକଟରେ ବସି କଥାବାର୍ତ୍ତା ହେଉଥିବା ବେଳେ ପୋଲ ତଳେ ମୋବାଇଲରେ ଗୀତ ବାଜୁଥିବା ଶୁଣିବାକୁ ପାଇଲେ। ଏହାପରେ ସେମାନେ ଦେଖିବାକୁ ପାଇଲେ ଯେ ଜଣେ ଯୁବକ ସାଇକେଲ ସହ ମୃତ ଅବସ୍ଥାରେ ପଡ଼ିରହିଛି। ଏହି ଖବର ଶୁଣି ପୋଲ ନିକଟରେ ଗ୍ରାମବାସୀଙ୍କ ଭିଡ଼ ଜମିଯାଇଥିଲା।
ଯୁବକଙ୍କ ଘର କୃଷ୍ଣପୁର ଗ୍ରାମରେ ବୋଲି ଜାଣିବାକୁ ମିଳିଥିଲା। ଏହାପରେ ପୁଲିସ ଓ ମୃତ ଯୁବକଙ୍କ ପରିବାରକୁ ଖବର ଦେଇଥିଲେ ଗ୍ରାମବାସୀ। ରାତି ପ୍ରାୟ ୧୧ଟା ବେଳେ ପୁଲିସ ମୃତଦେହ ଉଦ୍ଧାର କରିଛି। ଏନେଇ ତେଲକୋଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଆଜି ଶରୀର ବ୍ୟବଚ୍ଛେଦ କରାଯିବ। ତେବେ ଭାରସାମ୍ୟ ହରାଇ ସାଇକେଲରୁ ପୋଲ ତଳକୁ ଖସି ପଡ଼ି ଯୁବକ ଜଣଙ୍କ ମୃତ୍ୟୁବରଣ କରିଥିବା ପୁଲିସ ଅନୁମାନ କରୁଛି। ଶରୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ ଚୈତନ୍ୟ ନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Telkoi-police-station.jpg)