ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଛକ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ଥିବା ଏକ ନିଛାଟିଆ ପୋଲ ନିକଟରୁ  ଯୁବକର ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତଦେହର ପରିଚୟ ମିଳିପାରିନଥିବା ବେଳେ ଏହା ଏକ ଯୋଜନାବଧ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ସୂଚନାଥାଉକି, ଆଜି ସକାଳ ସମୟରେ ସ୍ଥାନୀୟ ଗ୍ରାମବାସୀ ଉକ୍ତ ନାଳକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ନାଳ ଉପରେ ଥିବା ଏକ ବୁଦା ମୂଳେ ଜଣେ ଯୁବକର ମୃତଦେହ ପଡିଥିବାର ଦେଖିବାକୁ ପାଇ ବିଶୋଇ ପୁଲିସକୁ ଖବର ଦେଇଥିଲେ।

Advertisment

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହଟି ମୁହଁ ମାଡ଼ି ପଡିଥିବା ହେତୁ ଏହାର ପରିଚୟ ମିଳିପାରିନାହିଁ। ସେହିପରି ମୃତଦେହ ପାଖରେ ମଦ, ମାଂସ ପଡ଼ିବା ସହିତ ନିକଟସ୍ଥ ଏକ ଚଟାଣରେ ରକ୍ତଛିଟା ଲାଗିଥିବା କାରଣରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।