ରାଇରଙ୍ଗପୁର/ଗୋରୁମହିଷାଣୀ: ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜନୈକ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ନିର୍ମଳା ଜେନାଙ୍କ ଅମାନବୀୟ ଭାବେ ୧୯୦ ଥର ଉଠା ବସା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟ ବିଷୟବସ୍ତୁ ପାଲଟିଛି। ଏହା ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସମ୍ପୃକ୍ତ ଛାତ୍ରୀଙ୍କ ପିତା ରାଇରଙ୍ଗପୁର ବିଇଓଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣାର ନିରପେକ୍ଷ ତଦନ୍ତ ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାର ଫଳସ୍ୱରୂପ ରାଇରଙ୍ଗପୁର ଅତିରିକ୍ତ ଦାୟିତ୍ୱରେ ଥିବା ବିଇଓ ଯଜ୍ଞେଶ୍ୱର ଜେନା, ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ ଓ ହେମ ମାଝୀ ଗୋରୁମହିଷାଣୀ ଡାକ୍ତରଖାନାକୁ ଯାଇ ପୀଡ଼ିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଘଟଣା ସମ୍ୱନ୍ଧରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ।
ଏଥି ସହିତ ଗୋରୁମହିଷାଣୀ ଥାନାଧିକାରୀ ବବିତା ରାଣୀ ପୁହାଣ ଗୋରୁମହିଷାଣୀ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସାଧୀନ ଛାତ୍ରୀର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଘଟଣା ସମ୍ୱନ୍ଧରେ ପଚାରି ବୁଝିଥିଲେ । ତେବେ ସୌଜନ୍ୟତା ଦୃଷ୍ଟିରୁ ଓଏଭି ପକ୍ଷରୁ କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ କିମ୍ବା କର୍ମଚାରୀ ପୀଡ଼ିତା ଛାତ୍ରୀର ସ୍ୱାସ୍ଥ୍ୟାବସ୍ଥା ସମ୍ୱନ୍ଧରେ ସିଏଚସିକୁ ନ ଯିବା କିମ୍ବା ଫୋନଟିଏ ନ କରିବା ପୀଡ଼ିତା ଛାତ୍ରୀଙ୍କ ପିତାଙ୍କୁ ମର୍ମାହତ କରିଥିବାର ଅଭିଯୋଗ କରନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଘଟଣାର ନିରପେକ୍ଷ ତଦନ୍ତ ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/768-512-13760780-628-13760780-1638107517211.jpg)