ଗୁଣି ସନ୍ଦେହରେ ଭାଇ- ଭାଉଜଙ୍କୁ ବୀଭତ୍ସ ହତ୍ୟା

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକାବେଳକେ ଯୋଡ଼ାଏ ମୁଣ୍ଡ ନେଇଛି ଗୁଣିଗାରେଡ଼ି ଜନିତ ଅନ୍ଧବିଶ୍ୱାସ। ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସା ପଞ୍ଚାୟତ କୁକୁଡ଼ାଝଡ଼ି ଗାଁରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ନିଜ ବଡ଼ ଭାଇ ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ୍‌ (୬୫) ଏବଂ ତାଙ୍କ ପତ୍ନୀ ସିନ୍‌ଗୋ ହେମ୍ବ୍ରମ୍‌ (୫୫)ଙ୍କୁ ବାର୍ସିରେ ହାଣି ହତ୍ୟା କରିଛି ସାନ ଭାଇ ରଥ ହେମ୍ବ୍ରମ୍‌(୪୦)। ଏହି ଡବଲ୍‌ ମର୍ଡର ସମସ୍ତ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ ଗାଁ ଦାଣ୍ଡରୁ ମିଳିଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତଦେହ ଖଟ ଉପରେ ମଶାରୀ ଭିତରେ ଶୋଇଥିବା ଅବସ୍ଥାରେ ମିଳିଛି। ବାରିପଦା ସଦର ଥାନା ପୁଲିସ ହତ୍ୟା ଅଭିଯୁକ୍ତ ରଥକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ବାର୍ସିକୁ ମଧ୍ୟ ନିକଟସ୍ଥ ବୁଦାରୁ ଜବତ କରିଛି। ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକ ସାମିଲ ଥିବା ସନ୍ଦେହ କରି ଅଧିକ ତଦନ୍ତ ଜାରି ରହିଥିବା ସଦର ଥାନା ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ ସୂଚନା ଦେଇଛନ୍ତି।

ଶନିବାର ଦିନ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ଛଡ଼ା ଘରେ ଆଉ କେହି ନଥିଲେ। ତାଙ୍କ ପୁଅ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଅଭିଯୁକ୍ତ ସାନଭାଇ ରଥ ପ୍ରଥମେ ଆସି ଭାଇଙ୍କୁ ଡାକିଥିଲା। ପରେ ବାର୍ସିରେ ବୀଭତ୍ସ ଭାବେ ମୁଣ୍ଡକୁ ହାଣି ହତ୍ୟା କରିଥିଲା। ପରେ ଯାଇଥିଲା ଭାଉଜ ସିନଗୋଙ୍କ ନିକଟକୁ। ସିନ୍‌ଗୋ ମଦ ନିଶାରେ ଶୋଇଥିବାରୁ ହତ୍ୟା ବେଳେ ସେ କିଛି ପାଟି କରିନଥିଲା।

‘ବେଶ୍‌ କିଛି ବର୍ଷ ହେବ ଆମ ବଂଶରେ ତିନି ଚାରି ଜଣ ମରି ସାରିଲେଣି। ସବୁ ହେଉଥିଲା ଏମାନଙ୍କ କାରଣରୁ। ତାଙ୍କୁ ମାରିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ମତେ ଦେବତା ଆସି କହିଲେ। ତେଣୁ ମାରିଦେଲି।’ ଗୁଣିଗାରେଡ଼ି ସନ୍ଦେହରେ ନିଜ ବଡ଼ ଭାଇ ଓ ଭାଉଜଙ୍କୁ ବାର୍ସିରେ ହାଣି ବୀଭତ୍ସ ଭାବେ ହତ୍ୟା କରି ଧରା ପଡ଼ିବା ପରେ ପୁଲିସ ଆଗରେ ଏପରି ବୟାନ ଦେଇଥିଲା ସାନ ଭାଇ ରଥ।

ସମ୍ବନ୍ଧିତ ଖବର