ବେତନଟୀସଦର: ଆଜି ଏପ୍ରିଲ୍ ୧୧ ତାରିଖରେ ଓଡ଼ିଶାରେ ପାଳିତ ହେଉଛି ଇଦ୍ ଉଲ୍ ଫିତର୍। ମଙ୍ଗଳବାର ଚାନ୍ଦ ଦେଖା ନ ଯିବାରୁ ଆଜି ବୁଧବାର ପାଳନ ହେଲାନାହିଁ ଇଦ। ଯାହାଫଳରେ ରମଜାନ ମାସର ୩୦ ଦିନ ଅର୍ଥାତ୍ ଆଜି ଏପ୍ରିଲ ୧୧ ତାରିଖ ଗୁରୁବାର ଦିନ ସାରା ଓଡ଼ିଶାରେ ମୁସଲମାନ ଭାଇଭଉଣୀମାନେ ଇଦ୍ ପାଳନ କରୁଛନ୍ତି। ଅଞ୍ଜୁମନ ଇସଲାମିଆ ଅହେଲେ ସୁନ୍ନତ ଓ ଜମାତ୍ ଓଡ଼ିଶାର ଚାନ୍ଦ କମିଟି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଥିଲା।
ଏହି ଅବସରରେ ବେତନଟୀ ବ୍ଲକ ଅଧୀନ ଗୋବିନ୍ଦରାୟପୁର ଓ ଯୁଗପୁରା ଅଞ୍ଚଳର ମୁସଲମାନ ସଂପ୍ରଦାୟର ପବିତ୍ର ଇଦ-ଉଲ-ଫିତର ପର୍ବ ଶାନ୍ତିଶୃଙ୍ଖଳାର ସହିତ ଆଜି ପାଳିତ ହୋଇଯାଇଛି। ମୁସଲମାନ ଭାଇମାନଙ୍କ ପବିତ୍ର ରମଜାନ ମାସର ଶେଷ ଦିବସ ପରଦିନ ଏହି ଇଦ-ଉଲ-ଫିତର ପାଳନ ଅବସରରେ ସକାଳୁ ନିକଟସ୍ଥ ବିଭିନ୍ନ ଇଦଗା ଓ ମସଜିଦରେ ଅନୁଷ୍ଠିତ ସାମୁହିକ ନମାଜ ପାଠ କରାଯିବା ପରେ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଛା ଜଣାଇଥିଲେ। ସକାଳ ୮ଟା ସମୟରେ ଗୋବିନ୍ଦରାୟପୁର ମସଜିଦ ଓ ଯୁଗପୁରା ମସଜିଦ ପ୍ରଭୃତିରେ ମୁସଲମାନ ଭାଇମାନେ ସାମୂହିକ ନମାଜ ପାଠ କରିଥିଲେ। ନିର୍ବାଚନୀ ଋତୁ ଚାଲିଥିବାରୁ ଇଦ ଉପଲକ୍ଷେ ଆଜି ଦୁଇ ଗ୍ରାମର ଉଭୟ ମୁସଲମାନ ଓ ହିନ୍ଦୁ ସଂପ୍ରଦାୟର ଲୋକମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ର ଶୁଭେଛା ଜଣାଇଥିଲେ।