ଚିତ୍ରଡା: ଅସନବଣି-ଭଦ୍ରାଶୋଳ ଜଙ୍ଗଲରେ ହାତୀ ଶାବକର ଗଳିତ ମୃତଦେହ। ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ଭଦ୍ରାଶୋଳର ନିକଟସ୍ଥ ଅସନବଣି ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଶାବକର ଗଳିତ ମୃତଦେହ ଆଜି ଲୋକଲୋଚନକୁ ଆସିବା ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସ୍ଥିତକୁ ଅନୁଧ୍ୟାନ କରୁଥିବା ଜଣାପଡିଛି । ବେତନଟୀ ଓ ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହୁଥିବା ବେଳେ ହାତୀ ଦାଉରୁ ଲୋକଙ୍କୁ ସୁରକ୍ଷା ଦେବା ଏବଂ ହାତୀଙ୍କ ଉପରେ ବନବିଭାଗ ପ୍ରଶାସନ ନଜର ରଖିବାରେ ବିଫଳ ହୋଇଥିବାର ଦେଖାଦେଇଛି ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ।ତେବେ ୧ ସପ୍ତାହ ପୂର୍ବରୁ ଏହି ହାତୀ ଶାବକର ମୃତ୍ୟୁ ଘଟିଥିବାର ଅନୁମାନ କରାଯାଉଥିବା ବେଳେ ବନବିଭାଗ ଘଟଣା ସମ୍ପର୍କରେ ଖବର କିପରି ପାଇପାରିନାହିଁ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ସୂଚନା ଅନୁଯାୟୀ, ଏକ ୪୫ ଟିକିଆ ଝାଡଖଣ୍ଡୀ ହାତୀପଲ ଗତ କିଛି ଦିନ ହେବ ବେତନଟୀ ରେଞ୍ଜରେ ଉପଦ୍ରବ ଚଲାଇଥିବା ବେଳେ ଆଜି ଉକ୍ତ ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ପଡିଥିବାର ଦେଖି ଲୋକେ ବନ ବିଭାଗ କୁ ଖବର ଦେଇଥିଲେ ।
ହାତୀ ଉପଦ୍ରବ ପାଇଁ ସ୍ଥାନୀୟ ଲୋକେ ଭୟରେ ଜଙ୍ଗଲକୁ କିଛିଦିନ ହେବ ଯାଇନଥିବା ବେଳେ ଆଜି କିଛି ଗ୍ରାମବାସୀ ଜଙ୍ଗଲକୁ ଯାଇ ଉକ୍ତ ମୃତଦେହକୁ ଦେଖିଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ଏସ ସି ଏଫ ରବିନାରାୟଣ ମହାନ୍ତି, ବେତନଟୀ ରେଞ୍ଜର ଘନଶ୍ୟାମ ସିଂ, ଫରେଷ୍ଟର ଶୋଭାକର ସିଂ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ରେଞ୍ଜର ଘନଶ୍ୟାମ ସିଂଙ୍କ କହିବା ଅନୁଯାୟୀ ଉକ୍ତ ହାତୀର ବୟସ ଏକ ବର୍ଷ ହେବ ଏବଂ ଏକ ସପ୍ତାହ ପୂର୍ବରୁ ମରିଥିବାର ସନ୍ଦେହ କରାଯାଉଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇ ଡ଼ି ଏଫ ଓ ସନ୍ତୋଷ କୁମାର ଯୋଶୀ ଘଟଣାସ୍ଥଳକୁ ଆସୁଥିବା ଜଣାପଡିଛି ।