ବେତନଟୀ/ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ମଶିଣାକାଠି ଜଙ୍ଗଲରେ ଅସ୍ତ୍ରୋପଚାର କରାଯାଇଥିବା ଦନ୍ତା ହାତୀର ମୃତ୍ୟୁ ଘଟିଥିବାର ଖବର ମିଳିଛି। ଗତକାଲି ଉକ୍ତ ହାତୀର ଗୋଡ଼ରେ କ୍ଷତ ଯୋଗୁଁ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ପରେ ହାତୀ ସୁସ୍ଥ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଥିଲା, ମାତ୍ର ଆଜି ତାର ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ଡୁମାପଦା, ଖଡ଼ିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ଏହି ଗୋଠଛଡ଼ା ଦନ୍ତାହାତୀ ଅବାଧରେ ବିଚରଣ କରୁଥିବାବେଳେ ହଠାତ୍ ତାର ଗତିବିଧି ବନ୍ଦ ହୋଇ ଯାଇଥିଲା। ବନ କର୍ମଚାରୀ ପତ୍ତା ଲଗାଇ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ଦନ୍ତାକୁ ଠାବ କରିଥିଲେ। ବାମ ଗୋଡ଼ରେ ଘାଆ ହୋଇଥିବାରୁ ଚଲାବୁଲା କରିପାରୁନଥିଲା ଦନ୍ତା। ଏ ସଂକ୍ରାନ୍ତରେ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ଡା.ବ୍ରଜରାଜ, ଡା.ରୁଦ୍ରନାରାୟଣ ମହାପାତ୍ର, ଓୟୁଏଟି ପ୍ରାଣୀ ଚିକିତ୍ସା ବିଭାଗର ପ୍ରଫେସର ଡା.ଇନ୍ଦ୍ରମଣି ନାଥ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଡା.ପୀୟୁଷ ସୋରେନ ପ୍ରମୁଖ ଡାକ୍ତରଙ୍କ ଏକ ଟିମ୍ ରବିବାର ସକାଳେ ହାତୀ ନିକଟରେ ପହଞ୍ଚିଥିଲେ।
ପ୍ରଫେସର ଇନ୍ଦ୍ରମଣି ନାଥ ହାତୀକୁ ନିଶ୍ଚେତକ (ଟ୍ରାଙ୍କୁଲାଇଜ୍) ଦେଇ ଚେତାଶୂନ୍ୟ କରିବା ପରେ ତାର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ସମୟରେ ଡିଏଫ୍ଓ ସନ୍ତୋଷ ଯୋଶୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଡେପୁଟି ଡାଇରେକ୍ଟର ଡ.ସମ୍ରାଟ ଗୌଡ଼ା, ଏସିଏଫ୍ ରବିନାରାୟଣ ମହାନ୍ତି, ରେଞ୍ଜର ଘନଶ୍ୟାମ ସିଂଙ୍କ ସମେତ ବିଭିନ୍ନ ରେଞ୍ଜର ବନପାଳ, ବନରକ୍ଷୀ, ସବୁଜ ବାହିନୀ ସଦସ୍ୟ ଓ ପାରା ବନ କର୍ମଚାରୀ ଉପସ୍ଥିତ ଥିଲେ।
ଗତକାଲି ସଫଳ ଅସ୍ତ୍ରୋପଚାର ହୋଇଥିଲା: ଆଜି ଆଖି ବୁଜିଲା ହାତୀ
/sambad/media/post_attachments/wp-content/uploads/2022/10/ef98bb70-0ea7-4eb6-960d-e37e16d44dc1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)