ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ମେର୍ଦା ଉପକଣ୍ଠ ବଇଦପୁର ଗ୍ରାମରେ ଶୁକ୍ରବାର ସକାଳେ ଅତର୍କିତ ଚଢ଼ାଉ କରି ରପ୍ତାନି ପାଇଁ ପ୍ରସ୍ତୁତକରି ରଖାଯାଇଥିବା ନକଲି ବିଦେଶୀ ମଦ ଜବତ କରିବା ସହିତ ନକଲି ମଦ ତିଆରି ପାଇଁ ଥିବା ୭୦ ଲିଟର ସ୍ପିରିଟ ଜବତ କରି ଏହି ବେଆଇନ କାରବାରରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବଇଦପୁର ଗ୍ରାମର ଶ୍ରୀକାନ୍ତ ପ୍ରଧାନର ୩୪ବର୍ଷୟ ପୁଅ ସଞ୍ଜୀବ କୁମାର ପ୍ରଧାନ।
ସୂଚନା ମୁତାବକ ସଞ୍ଜୀବ ବିଷାକ୍ତ ନକଲି ମଦ ପ୍ରସ୍ତୁତ କରୁଥିବାର ଖବର ପାଇ ମୟୁରଭଞ୍ଜ ଜିଲ୍ଲା ଅବକାରୀ ବିଭାଗ ଅଧୀକ୍ଷକ ଅଶୋକ କୁମାର ସେଠ ସଦଳବଳେ ଆଜି ଏହି ଚଢାଉ କରିଥିଲେ। ଚଢାଉ ସମୟରେ ଅଭିଯୁକ୍ତ ସଞ୍ଜୟ ନିକଟରୁ ପ୍ରତ୍ୟେକଟିରେ ୧୮୦ ମିଲିଲିଟର ଲେଖାଏଁ ଥିବା ମ୍ୟାକ ଡୋୱେଲ ନମ୍ବରୱାନ ୧୫ ବୋତଲ, ରୟାଲ ଚ୍ୟାଲେଞ୍ଜ ୧୫ ବୋତଲ, ରୟାଲ ଗ୍ରିନ ୧୩ ବୋତଲ, ବାକାର୍ଡି ବ୍ଲାକ ୭ ବୋତଲ ନକଲି ବିଷାକ୍ତ ମଦ ଜବତ କରିଥିଲେ। ଏଥିସହିତ ଦୁଇଟି ପ୍ଲାଷ୍ଟିକ ଡ୍ରମରେ ୫୦ ଲିଟର ଏବଂ ୨୦ ଲିଟର ଲେଖାଏଁ ଥିବା ୭୦ ଲିଟର ସ୍ପିରିଟ ମଧ୍ୟ ଜବତ କରାଯାଇଛି।
ଅଭିଯୁକ୍ତ ସଞ୍ଜୀବ ନିକଟରୁ ମୋଟ ୯ଲିଟର ବିଷାକ୍ତ ନକଲି ବିଦେଶୀ ମଦ ସମେତ ବିଷାକ୍ତ ମଦ ପ୍ରସ୍ତୁତିରେ ବ୍ୟବହୃତ ୭୦ ଲିଟର ସ୍ପିରିଟ ଜବତ କରାଯିବା ସହିତ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଏନେଇ ଏକ ମାମଲା ରୁଜୁକରି ସ୍ୱାସ୍ଥ୍ୟପରୀକ୍ଷା ପୂର୍ବକ ସଞ୍ଜୀବକୁ ବେତନଟୀ ଜେଏମଏଫସି କୋର୍ଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତର ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ବିଷାକ୍ତ ନକଲି ମଦ ତିଆରି ପାଇଁ ଅଭିଯୁକ୍ତ ସଞ୍ଜୀବ କୁମାର ପ୍ରଧାନ ବାଲେଶ୍ୱର ଜିଲ୍ଲା ରୁପ୍ସା ଅଞ୍ଚଳରୁ ସ୍ପିରିଟ ଆଣୁଥିବା ନେଇ ଅବକାରୀ ବିଭାଗ ଜାଣିବାକୁ ପାଇଛି। ପ୍ରକାଶଥାଉ କି ଅଭିଯୁକ୍ତ ସଞ୍ଜୀବ କୁମାର ପ୍ରଧାନ ଗତ ଫେବ୍ରଆରି ୧୭ ତାରିଖରେ ମଧ୍ୟ ବିଷାକ୍ତ ନକଲି ବିଦେଶୀମଦ ସମେତ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲା।