ମୟୂରଭଞ୍ଜରେ ନକଲି ବିଶ୍ବବିଦ୍ୟାଳୟ ‘ନର୍ଥ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଫ୍ ଏଗ୍ରିକଲ୍ଚର ଏଣ୍ଡ୍ ଟେକ୍ନୋଲୋଜି’ ; ସତ୍ୟତା ସମ୍ପର୍କରେ ତଦନ୍ତ କରିବେ ଜିଲ୍ଲାପାଳ

ପତ୍ର ଲେଖିଲା ଉଚ୍ଚଶିକ୍ଷା ବିଭାଗ

ବାରିପଦା : ୟୁଜିସି ପକ୍ଷରୁ ମୟୂରଭଞ୍ଜରେ ‘ନର୍ଥ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଫ୍ ଏଗ୍ରିକଲ୍ଚର ଏଣ୍ଡ୍ ଟେକ୍ନୋଲୋଜି’ ନାମରେ ଏକ ନକଲି ବିଶ୍ବବିଦ୍ୟାଳୟ କାର୍ଯ୍ୟ କରୁଥିବା  କିଛି ଦିନ ତଳେ ୟୁଜିସି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା ।  ଏହି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନକଲି ଡିଗ୍ରୀ ପ୍ରଦାନ କରୁଥିବା ୟୁଜିସି ପକ୍ଷରୁ କୁହାଯାଇଥିଲା ।

ଏହି ୟୁଜିସି ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତନାଘନା ପ୍ରକାଶ ପାଇଛି । ଏହି ବିଶ୍ବବିଦ୍ୟାଳୟର ବାସ୍ତବତା ସମ୍ପର୍କରେ ତଦନ୍ତ କରିବାକୁ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ଉଚ୍ଚଶିକ୍ଷା ବିଭାଗ ଅନୁସଚିବ ମିନତୀ ଭୂୟାଁ ପତ୍ର ଲେଖିଛନ୍ତି। ଏହାକୁ ଗୁରୁତର ସହିତ ନେଇ ତଦନ୍ତ କରିବାକୁ ପତ୍ରରେ ଉଲ୍ଲେଖ ରହିଛି। ଏସମ୍ପର୍କରେ ଏକ ବିସ୍ତୁତ ରିପୋର୍ଟ ଏକ ସପ୍ତାହ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ୟୁଜିସି ପକ୍ଷରୁ ଉପରୋକ୍ତ ବିଶ୍ବବିଦ୍ୟାଳୟ ସମ୍ପର୍କରେ ଯେଉଁ ତଥ୍ୟ ପ୍ରକାଶ ପାଇଛି ସେପରି କୌଣସି ଅନୁଷ୍ଠାନ ନଥିବା ଜଣାପଡ଼ିଛି। ତଥାପି ଦୀର୍ଘ ବର୍ଷ ହେବ ୟୁଜିସିର ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ଉପରୋକ୍ତ ଶିକ୍ଷାନୁଷ୍ଠାନ ରହିଆସୁଛି। ରାଜ୍ୟରେ ଏହିପରି ଆହୁରି ଏକ ନକଲି ବିଶ୍ବବିଦ୍ୟାଳୟ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ କାର୍ଯ୍ୟ କରୁଥିବା ୟୁଜିସି ପ୍ରକାଶ କରିଛି। ତେବେ ଏହି ଦୁଇ ନକଲି ବିଶ୍ବବିଦ୍ୟାଳୟର ବାସ୍ତବତାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର

Comments are closed.