ପୁଅ ଗୁଳିରେ ବାପାର ଜୀବନ ଗଲା, ହତ୍ୟା ପରେ ଅଭିଯୁକ୍ତ ଫେରାର୍‌

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କାଶୀକୁଣ୍ଡଳ ଅଂଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପୁଅର ଗୁଳି ମାଡ଼ରେ ବାପାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅତି ବୀଭତ୍ସ ଭାବେ ବାପାକୁ ଗୁଳି ମାରି ହତ୍ୟା କରି ଫେରାର ହୋଇଯାଇଛି ପୁଅ।

ଗତକାଲି ରାତିରେ କାଶୀକୁଣ୍ଡଳ ଗ୍ରାମର ଟିଲୁ ନାଏକଙ୍କ ଘରେ ଥିଲେ। ଏହି ସମୟରେ ପୁଅ କୈଳାସ ନାଏକ ଘରେ ପହଞ୍ଚି ଖାଦ୍ୟ ଖାଉଥିଲେ। କୌଣସି କଥାକୁ ନେଇ ବାପା ଏବଂ ପୁଅ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା। ବଚସା ଏତେ ଉଗ୍ରରୂପ ନେଲା ଯେ ପୁଅ କୈଳାସ ଉତକ୍ଷିପ୍ତ ହୋଇ ଖାଇବା ପାଖରୁ ଉଠି ଆସି ଘରେ ପୂର୍ବରୁ ରଖିଥିବା ଏକ ଦେଶୀ ବନ୍ଧୁକରେ ଟିଲୁ ଉପରକୁ ଗୁଳି ଚଳାଇଥିଲା।

ଗୋଟିଏ ଗୁଳି ଟିଲୁଙ୍କ ବେକ ପାଖରେ ବାଜିଥିବା ବେଳେ ଘର ବାରଣ୍ଡାରେ ଟଳି ପଡ଼ିଥିଲେ ଟିଲୁ ନାଏକ। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ ସୁଦ୍ଧା ହତ୍ୟାକାରୀ ପୁଅ କୈଳାସ କାହାକୁ ପାଖକୁ ଆସିବାକୁ ଦେଇ ନ ଥିଲା ଏବଂ ଅନ୍ୟ ମାନଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଡରାଇଥିଲା। ତେବେ ବାପାକୁ ହତ୍ୟା କରିବା ପରେ ପୁଅ କୈଳାସ ନିଜ ସ୍ତ୍ରୀ ଏବଂ ପିଲାଛୁଆଙ୍କୁ ନେଇ ଫେରାର ହୋଇଯାଇଛି।

ଖବର ପାଇ ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ପୁଲିସ ଜବତ କରିଛି। ଏହାସହିତ ଘର ପଛ ପାଖରୁ ଗୁଳି ଭାବେ ବ୍ୟବହୃତ ହୋଇଥିବା ଲୁହାରଡ଼ର ଭଙ୍ଗା ଅଂଶ ପୁଲିସ ହାତରେ ଲାଗିଛି।

ସମ୍ବନ୍ଧିତ ଖବର