ଝିଅର ଗଳାକାଟି ହତ୍ୟା

ବାରିପଦା : ବାରିପଦା ସଦର ଥାନା ଅନ୍ତର୍ଗତ ଗୋବର୍ଦ୍ଧନଶୋଳ ଗାଁର ଜଣେ ନୃଶଂସ ବାପା ନିର୍ମମ ଭାବେ ନିଜ ଝିଅର ଗଳା କାଟି ହତ୍ୟା କରିବା ଘଟଣା ସମଗ୍ର ମୟୂରଭଞ୍ଜ ଜିଲ୍ଳାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ହତ୍ୟାକାରୀ ବାପା ସନିଆ ଦେହୁରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଘଟଣାରୁ ପ୍ରକାଶ, ଗତକାଲି ରାତିରେ ଗୋବର୍ଦ୍ଧନଶୋଳ ଗାଁର ସନିଆ ଦେହୁରୀ ଏବଂ ତାଙ୍କ ସ୍ତ୍ରୀ ମଧ୍ୟରେ ତର୍କ ବିତର୍କ ହୋଇଥିଲା। ପରିବାରରେ ଏଭଳି ଗଣ୍ଡଗୋଳ, ଝଗଡ଼ା ଅଧିକାଂଶ ସମୟରେ ମଧ୍ୟ ହୋଇଥାଏ। ତେବେ ଗତକାଲିର ଝଗଡ଼ା ସନିଆର ହିତାହିତ ଜ୍ଞାନ ହରାଇ ଦେଇଥିଲା। ସେ ଅଧିକ ହିଂସ୍ର ଓ ଉଗ୍ର ହୋଇ ପଡ଼ିଥିଲା। ସମସ୍ତଙ୍କୁ ମାରିବା ପାଇଁ ଗୋଡ଼ାଇଥିଲା। ସନିଆର ଏଭଳି ଉଗ୍ର ରୂପ ଦେଖି ସ୍ତ୍ରୀ ଓ ଅନ୍ୟ ପିଲାମାନେ ଭୟରେ ଦଉଡ଼ି ପଳାଇ ଯାଇଥିଲେ। ମାତ୍ର ମଝିଆ ଝିଅ ଫୁଲସରି ଦେହୁରୀ (୧୨) ରାକ୍ଷସ ବାପା ହାବୁଡ଼ରେ ପଡ଼ିଯାଇଥିଲା। ପିଶାଚ ବାପା ନିକଟରେ ପଡ଼ିଥିବା ଏକ ଦା’ରେ ଝିଅର ଗଳାକୁ କାଟି କଣା କରି ପକାଇଥିଲା। ଝିଅ ଯେତେ ଛାଟିପିଟି ହୋଇଥିଲେ ମଧ୍ୟ ବାପା କବଳରୁ ଖସି ପାରି ନଥିଲା। ଶେଷରେ ତା’ର ବାପା ହାତରେ ମୃତ୍ୟୁ ହୋଇଥିଲା। ହତ୍ୟାକାରୀ ସନିଆ ଜଣେ ମାନସିକ ବିକୃତ ରୋଗୀ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର