ବିଶୋଇ: ଗ୍ରୀଷ୍ମ ଯାଇ ବର୍ଷା ଋତୁ ଆସିଲା। ମାତ୍ର ଦାରୁଣ ଅବସ୍ଥାରେ ପରିବର୍ତ୍ତନ ହେଲାନି। ପ୍ରାୟ ୭୦ରୁ ଊର୍ଦ୍ଧ୍ବ ବାସିନ୍ଦାଙ୍କ ପାଇଁ ଟୋପାଏ ପାନୀୟ ମିଳୁନି। ଚୁଆପାଣି ହିଁ ପିଇ ଶୋଷ ମେଣ୍ଟାଉଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଖଡ଼ମବେଡା ପଞ୍ଚାୟତ ଧଡାସାହି ଗ୍ରାମରେ ଏପରି ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ବିଶୋଇରୁ ମାତ୍ର ୧ କିମି ଦୂର ଗଲେ ଧଡ଼ାସାହି ପଡ଼େ। ଏହି ସାହିରେ ପ୍ରାୟ ୧୫ଟି ମୁଣ୍ଡା ପରିବାରର ୭୦ରୁ ଊର୍ଦ୍ଧ୍ବ ଲୋକ ବାସ କରନ୍ତି। ତେବେ ଗାଁକୁ ବିଜୁଳି ସଂଯୋଗ ହୋଇଛି। ମାତ୍ର ସେମାନଙ୍କ ପାଇଁ ପାନୀୟ ଜଳ ଓ ରାସ୍ତା ପାଲଟିଛି ସାତ ସପନ। ସାହିରେ ପାନୀୟଜଳ ପ୍ରକଳ୍ପ ନାହିଁ କି ନଳକୂଅ ନାହିଁ। ତେଣୁ ବର୍ଷ ତମାମ ଗାଁରୁ ପ୍ରାୟ ଅଦ କିମି ଦୂର ଥିବା ନାଳପାଣିକୁ ଭରସା କରି ଲୋକେ ବଞ୍ଚନ୍ତି। ନାଳ ମଧ୍ୟରେ ଚୁଆ ତିଆରି କରି ସେମାନେ ପାଣିକୁ ଏକ କପଡାରେ ଛାଣି ପାନୀୟ ଜଳ ରୂପେ ବ୍ୟବହାର କରି ଆସୁଛନ୍ତି। ତେବେ ଏନେଇ ଗତ ବର୍ଷ ଜୁନ ମାସ ୨୩ ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ହେବା ପରେ ଏହି ଅଞ୍ଚଳକୁ ପ୍ରଶାସନିକ ଅଧିକାରୀ ସମେତ ଜନପ୍ରତିନିଧିମାନଙ୍କ ପାଦ ପଡିଥିଲା। ଗାଁରେ ଗୋଟିଏ ନଳକୂଅ ବସାଇବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଗ୍ରାମକୁ ଭଲ ରାସ୍ତା ନଥିବାରୁ ବୋର୍ୱେଲ ଗାଡି ଅଧା ବାଟରେ ରହି ଯାଇଥିଲା। ତେବେ ଏଥି ନିମନ୍ତେ ଗାଁବସିନ୍ଦାଙ୍କ ପ୍ରଚେଷ୍ଟାରେ ଜଙ୍ଗଲକୁ ସଫା କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା। ଏହା ଭିତରେ ଗୋଟିଏ ବର୍ଷ ବିତିଗଲାଣି। ଏବେବି ପାନୀୟ ଜଳ ସମସ୍ୟା ଲାଗି ରହିଛି। ପାଖ ଗାଁ ଉପର ଧଡାସାହିରେ ନଳକୂଅ ରହିଛି। ୨ କିମି ଦୂରରେ ଥିବା ଜାହିରାସାହିରେ ନଳକୂଅ ଥିଲେ ମଧ୍ୟ ଏବେ ଏକ ଉଠା ଜଳସେଚନ ନିର୍ମିତ ହୋଇଛି। ମାତ୍ର ଦୁଃଖର ବିଷୟ, ଏବେ ସୁଦ୍ଧା ଏହି ଗ୍ରାମକୁ ପାଇପ ସଂଯୋଗ ହୋଇ ପାରିନାହିଁ। ତେଣୁ ଗ୍ରାମବାସୀ ଏବେ ବି ନାଳ ପାଣି ପିଇ ବଞ୍ଚୁଛନ୍ତି। ବହୁ ଗୁହାରି ପରେ ଚଳିତ ଗ୍ରୀଷ୍ମ ଦିନରେ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘ ୧ ମାସ ଧରି ଏହି ଗ୍ରାମକୁ ପାନୀୟ ଜଳ ଟ୍ୟାଙ୍କର ଯୋଗାଇ ଦିଆଯାଇଥିଲା। ତେବେ ବର୍ତ୍ତମାନ ଏହାକୁ ବନ୍ଦ କରାଯିବା ପରେ ପୁଣି ପୂର୍ବପରି ନାଳପାଣି ଏବେ ଗ୍ରାମବାସୀଙ୍କ ଭରସା ପାଲଟିଛି। ଏପରିସ୍ଥିତିରେ ଆଗାମୀ ଦିନରେ ଗ୍ରାମବାସୀ ବଡ଼ ଧରଣର ରୋଗ ହେବାର ସମ୍ଭାବନାକୁ ଏଡ଼େଇ ଦେଇହେବ ନାହିଁ। ସେହିପରି ଦିନବେଳେ ଆମ୍ବୁଲାନ୍ସ ଓ ଦମକଳ ଗାଡି ସଂକଟ ରାସ୍ତା ଦେଇ ଆସି ପାରୁଥିବା ବେଳେ ରାତିରେ ହାତୀ ଭୟରେ ଗ୍ରାମକୁ କୌଣସି ଗାଡି ଆସିପାରେ ନାହିଁ। ଏନେଇ ବିଶୋଇ ବ୍ଲକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ମିଶନର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ, ଜାହିରାସାହିରେ ନବ ନିର୍ମିତ ଉଠାଜଳସେଚନ ପ୍ରକଳ୍ପରୁ ଉକ୍ତ ଅଞ୍ଚଳକୁ ଖୁବ୍ଶୀଘ୍ର ପାନୀୟ ଜଳ ଯୋଗାଇ ଦିଆଯିବ। ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ନଦେଲେ, ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଗାଁଲୋକେ ସଜବାଜ ହେଉଥିବା ଜଣାପଡ଼ିଛି।
ପାନୀୟଜଳ ଅପହଞ୍ଚ, ଶୋଷ ମେଣ୍ଟାଉଛି ଚୁଆ ପାଣି
ପ୍ରଶାସନର ଅବହେଳାରେ ଧଡାସାହି ଗ୍ରାମ ୧୫ ପରିବାରକୁ ନାଳ ପାଣି ଭରସା
/sambad/media/post_attachments/wp-content/uploads/2019/07/mayur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)