ପ୍ରଥମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ମାଡ଼: ଥାନାରେ ଲିଖିତ ଅଭିଯୋଗ

କରଞ୍ଜିଆ: ମହିଳା ଶିଶୁବିକାଶ ତଥା ମିସନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନିର୍ବାଚନ ମଣ୍ଡଳୀରେ ପୁଣି ଲଜ୍ଜା। ୬ ବର୍ଷର ପ୍ରଥମ ଶ୍ରେଣୀ ଛାତ୍ରୀକୁ ପ୍ରଧାନ ଶିକ୍ଷକଙ୍କ ନିର୍ଧୁମ ମାଡ଼, ମାମଲା ଥାନାରେ। ଏପରି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅଞ୍ଚଳରୁ।
କରଞ୍ଜିଆ ବ୍ଲକର ହାତୀବାରି ସେବାଆଶ୍ରମର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରାଥନା କ୍ଳାସରେ ସର୍ବ ସମ୍ମୁଖରେ ମୂର୍ତ୍ତି ଭାଙ୍ଗିଥିବା ଅଭିଯୋଗରେ ନିସ୍ତୁକ ପିଟିବା ସହିତ ଗୋଇଠା ବିଧା ମାରିବା ଦ୍ୱାରା ଛାତ୍ରୀଜଣଙ୍କ ଆହତ ହୋଇଥିବା ନେଇ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ ହଇଛି। ଥାନାରେ ଏ ସମ୍ପର୍କରେ ମାମଲା ରୁଜୁ ହୋଇଛି। ମାଡ଼ ମାରିବା ଏବଂ ଗାଳି କରିବାରୁ ଛାତ୍ରୀଜଣଙ୍କ ନିଜ ପ୍ୟାଣ୍ଟରେ ପରିସ୍ରା କରି ପକାଇଥିବା ମଧ୍ୟ ଅଭିଯୋଗ ହଇଛି।
ଘଟଣା ଗତ ୧୭ତାରିଖରେ ହୋଇଥିବା ବେଳେ ଶିକ୍ଷକଙ୍କ ଭୟରେ ଅଭିଯୋଗ କରି ନ ଥିବା ଜଣା ଯାଇଛି। ଅଭିଯୋଗ କଲେ ସ୍କୁଲରୁ ବାହାର କରି ଦେବାର ଶିକ୍ଷକ ଧମକ ଦେଇଥିବାରୁ ପରିବାର ଲୋକେ କୌଣସି ଅଭିଯୋଗ ଦେଇ ନ ଥିଲେ । ତେବେ ଛାତ୍ରୀର ମାମୁଁ ଏ ସମ୍ପର୍କରେ ଜାଣିବା ପରେ ଗତକାଲି ବିଳମ୍ବିତ ରାତିରେ ଛାତ୍ରୀକୁ ଥାନାକୁ ଆଣି ଲିଖିତ ଅଭିଯୋଗ କରିଛନ୍ତି ଏବଂ ଏପରି କାର୍ଯ୍ୟ କରିଥିବା ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ମହିଳା ଶିଶୁବିକାଶ ତଥା ମିସନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏପରି ଘଟଣା ବାରମ୍ବାର ଆସିବା ଏକ ଲଜ୍ଜାକର ଘଟଣା । ଗତ୨୩ ତାରିଖରେ ଠାକୁରମୁଣ୍ଡା ଅନ୍ୱେଷା ହଷ୍ଟେଲର ୯୪ ଜଣ ଛାତ୍ରୀ ଖାଇବାକୁ ନ ପାଇ କାନ୍ଦି କାନ୍ଦି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ହେଉ କିମ୍ବା କେଶଡିହା ସେବାଶ୍ରମର ଅନ୍ତେବାସୀ ନିମ୍ନ ମାନର ଖାଦ୍ୟ ସହିତ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଛାତ୍ରଛାତ୍ରୀମାନେ ସ୍କୁଲଗେଟରେ ଧାରଣା ଦେବା।
ଶରତ ଫୁଲମୋତି ସେବାଶ୍ରମର ଛାତ୍ରୀଙ୍କୁ ବିଭିନ୍ନ ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଗାଳି ସହିତ ନିର୍ଯାତନା ଦେବା କାରଣରୁ ଠାକୁରମୁଣ୍ଡା-ଶରତ ରାସ୍ତାକୁ ଛାତ୍ରୀମାନେ ଦୀର୍ଘ ସମୟ ଧରି ବନ୍ଦ କରିବା ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସିବା ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏତେ ସବୁ ଘଟଣା ପରେ ବି ମନ୍ତ୍ରୀ ମୁହଁ ନ ଖୋଲିବା ସ୍କୁଲ କର୍ତ୍ତୃପକ୍ଷ ଏବଂ ମନ୍ତ୍ରୀଙ୍କ ଭିତିରିଆ ବୁଝାମଣା ନାହିଁ ତ ବୋଲି ପ୍ରଶ୍ନ କରିଛନ୍ତି ଲୋକେ। ତେବେ ଏ ସମ୍ପର୍କରେ ମନ୍ତ୍ରୀ କିମ୍ବା ମାଡ଼ ମାରିଥିବା ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ପାରିନି।

ସମ୍ବନ୍ଧିତ ଖବର