ପହିଲି ରଜରେ ମର୍ମନ୍ତୁଦ ଦୁର୍ଘଟଣା:ଦୁଇ ଭଉଣୀ ସମେତ ୩ ମୃତ

ପୋଲରେ ପିଟି ହୋଇଗଲା ସ୍କୁଟି

କୁଆମରା:ପହିଲି ରଜରେ ସମସ୍ତେ ଆନନ୍ଦ ଓ ଉତ୍ସବରେ ମସଗୁଲ ଥିଲାବେଳେ ମୟୂରଭଞ୍ଜ ଜିଲ୍ଲା ଗୋପବଂଧୁନଗର ବ୍ଲକ ଆରପଟା ପଞ୍ଚାୟତ ଖିରିପଦା ଗାଁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଭଉଣୀ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସେମାନେ ହେଉଛନ୍ତି ଖିରିପଦା ଗାଁର ଧରି ସିଂଙ୍କ ପୁଅ ସୋମନାଥ(୧୬) ଏବଂ ତାଙ୍କ ପଡ଼ୋଶୀ ଗୁରୁବା ସିଂଙ୍କ ଦୁଇ ଝିଅ ପୂଜା(୧୭) ଓ ବର୍ଷା(୧୫)। ଏହି ଦୁର୍ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ରଜମଉଜ ଫିକା ପଡ଼ିଯାଇଛି।

ସୂଚନା ଅନୁସାରେ, ସୋମନାଥ ଚେନ୍ନାଇରେ କାମ କରୁଥିବା ବେଳେ ରଜ ମନାଇବା ପାଇଁ ଘରକୁ ଆସିଥିଲେ। ସେହିପରି ପୂଜା ଏକ ଡ୍ୟାନ୍‌ସ ଗ୍ରୁପ୍‌ର ସଦସ୍ୟା ହୋଇଥିବା ବେଳେ ବର୍ଷା ଶ୍ରମିକ ଭାବେ କାମ କରୁଥିଲେ। ଆଜି ଆଜି ସଂଧ୍ୟା ପ୍ରାୟ ୫ଟା ବେଳେ ସୋମନାଥ ଏକ ସ୍କୁଟି (ନଂ ଓଡି ୦୧ ଆର ୨୬୧୦)ରେ ପୂଜା ଓ ବର୍ଷାକୁ ବସାଇ କୁଆମରା ଅଭିମୁଖେ ଯାଉଥିଲେ। ସେମାନେ ଗାଁଠାରୁ ପ୍ରାୟ ଅଧ କିମି ଦୂର ଯାଇଥିବାବେଳେ ସ୍କୁଟିଟି ଭାରସାମ୍ୟ ହରାଇ ଏକ ପୋଲରେ ବାଡ଼େଇ ହୋଇଯାଇଥିଲା। ଫଳରେ ସୋମନାଥ ପୋଲ ଉପରେ ସ୍କୁଟି ସହ ପଡ଼ିଯାଇଥିବା ବେଳେ ପୂଜା ଓ ବର୍ଷା ପୋଲର ପ୍ରାୟ ୫ ଫୁଟ୍‌ ତଳକୁ ଛିଟିକି ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ସଂକଟାପନ୍ନ ଅବସ୍ଥାରେ କୁଆମରା ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣା ଖବର ପ୍ରଚାରିତ ହୋଇଯିବା ପରେ ଶହ ଶହ ସଂଖ୍ୟାରେ ଲୋକ ଡାକ୍ତରଖାନାକୁ ଛୁଟି ଆସିଥିଲେ। ଡାକ୍ତରଖାନାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେବା ସହ ଲୋକାରଣ୍ୟ ହୋଇଯାଇଥିଲା।  କୁଆମରା ଓ ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍କୁଟିଟିକୁ ଜବତ କରି ତଦନ୍ତ କରୁଛି। ଏ ନେଇ ଖୁଣ୍ଟା ଥାନାରେ ୬୧/୧୮ ନମ୍ବର ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର