କର୍କଟ ରୋଗୀଙ୍କ ମନବଳ ଦୃଢ଼ କରିବାକୁ ନିଜର ସୁନ୍ଦର ଓ ସୁଦୀର୍ଘ କେଶ ତ୍ୟାଗ କରି ଚର୍ଚ୍ଚାରେ ଏହି ବାରିପଦା ଝିଅ

ବାରିପଦା: କେଶ ହେଉଛି ନାରୀର ଗହଣା ଓ ସୌନ୍ଦର୍ଯ୍ୟର ପ୍ରତୀକ। ଅନେକ ଝିଅ ଓ ବୋହୂ ନିଜକୁ କେଶକୁ ସୁସ୍ଥ ଓ ସୁନ୍ଦର ରଖିବା ଲାଗି ଖୁବ ଯତ୍ନ ନେଇଥାନ୍ତି । ଏଭଳି ପରିସ୍ଥିତିରେ ବାରପିଦା ସହରର ଜଣେ କଲେଜଛାତ୍ରୀ ଶ୍ରୁତି ମାଇତି କର୍କଟ ରୋଗୀଙ୍କ ପାଇଁ ନିଜ କେଶ ଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବାରିପଦାର ଏମପିସି ସ୍ୱଂୟଶାସିତ କଲେଜର ଛାତ୍ରୀ ଶ୍ରୁତି ମାଇତି ଆର୍ଥିକ ଭାବେ ସହଯୋଗ କରି ନପାରିବାର ଅସହାୟତାକୁ ନେଇ ନିଜର ସୌନ୍ଦର୍ଯ୍ୟକୁ ତ୍ୟାଗ କରିଛନ୍ତି । ଏଥିପାଇଁ ଶ୍ରୁତି ଲଣ୍ଡା ହୋଇ ନିଜର ସୁନ୍ଦର ଲମ୍ବା ଦେଶକୁ ଏକ ସଂସ୍ଥା ମାଧ୍ୟମରେ କର୍କଟ ରୋଗରେ ପୀଡିତ ଯୁବତୀଙ୍କୁ ପଠାଇଛନ୍ତି । ଶ୍ରୁତି ପୂର୍ବରୁ ନିଜର ଚକ୍ଷୁଦାନ କରି ସାରିଥିବା ବେଳେ ନିଜର ଅଙ୍ଗଦାନ କରିସାରିଛନ୍ତି ।

ଏ ହେଉଛନ୍ତି ସେଇ ଚର୍ଚ୍ଚିତ ଯୁବତୀ । ନାଁ ଶ୍ରୁତି ମାଇତି । ଘର ବାରିପଦା ସହରର ତୁଳସୀଚୌରା ଅଂଚଳରେ । ଶ୍ରୁତି ଏବେ ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର +୩ କଳାର ତୃତୀୟ ବର୍ଷର ଛାତ୍ରୀ । ଏନଏସଏସର ସ୍ବେଚ୍ଛାସେବୀ ଭାବରେ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇ ବେଶ୍ ନାଁ କମେଇଛନ୍ତି ସେ । ପିଲାଟି ଦିନରୁ ଆଖପାଖରେ କର୍କଟ ରୋଗରେ ପିଡ଼ିତା ମହିଳାମାନଙ୍କ ଲଣ୍ଡାମୁଣ୍ଡକୁ ଦେଖି ଅନେକ ଚିନ୍ତିତ ରହୁଥିଲେ ଶ୍ରୁତି । ସେତେବେଳେ ସେ ଭାବୁଥିଲେ ସମସ୍ତଙ୍କ ମୁଣ୍ଡରେ ଚୁଟି ରହିଥିବା ବେଳେ ଏମାନଙ୍କ ମୁଣ୍ଡ ଲଣ୍ଡା କାହିଁକି । ହେଲେ ଏହାର କାରଣ ଶ୍ରୁତିଙ୍କୁ ବଡ ହେଲା ପରେ ଜଣାଯାଇଥିଲା । ତେଣୁ ଏଭଳି ଲୋକମାନଙ୍କ ମନବଳକୁ ଦୃଢ଼ କରିବା ସହ ସେମାନଙ୍କର କଷ୍ଟକୁ ଲାଘବ କରିବା ପାଇଁ ସବୁବେଳେ ଚେଷ୍ଟିତ ରହି ଆସିଛନ୍ତି । ବିଶେଷ କରି ମହିଳା ବା ଯୁବତୀମାନେ କର୍କଟ ରୋଗରେ ପୀଡ଼ିତ ହୋଇ କେମୋ ନେଲା ପରେ ସେମାନଙ୍କ ମୁଣ୍ଡରୁ ସବୁ ଚୁଟି ଉଠିଯାଇଥାଏ । ତେଣୁ ଲଣ୍ଡାମୁଣ୍ଡ ନେଇ ବାହାରକୁ ବାହାରିବାପାଇଁ ସେମାନେ କୁଣ୍ଠାବୋଦ୍ଧ କରିଥାନ୍ତି । କେବଳ ସେଇଥିପାଇଁ ଶ୍ରୁତି ଲଣ୍ଡା ହୋଇ ନିଜର ସୁନ୍ଦର ଲମ୍ବା କେଶକୁ “ଓଡ଼ିଶା ହେୟାର ଡୋନେସନ୍” ସଂସ୍ଥା ମାଧ୍ୟମରେ କର୍କଟ ରୋଗରେ ନିଜର କେଶ ହରାଇଥିବା ମହିଳା ବା ଯୁବତୀମାନଙ୍କୁ ପଠାଇଛନ୍ତି  ଏବଂ ଏପରି କରି ସେ ବେଶ୍ ଆନନ୍ଦିତ ବୋଲି କହିଛନ୍ତି ।

ତେବେ ଶ୍ରୁତିଙ୍କର ଏଭଳି ନିଆରା ପଦେକ୍ଷପ ପାଇଁ ନିଜକୁ ଖୁବ୍ ଗର୍ବିତ ମନେ କରୁଛନ୍ତି ପରିବାର ଲୋକେ। ସାହୀ ପଡ଼ିଶାଙ୍କ ଟାହିଟାପୋରାକୁ ଖାତିର ନକରି ନାତୁଣିର ଖୁସିକୁ ସ୍ୱାଗତ ଜଣାଇଛନ୍ତି ଉଭୟ ଅଜା ଏବଂ ଆଈ । ସେପଟେ, ଭବିଷ୍ୟତରେ ଜଣେ ଭଲ ସମାଜସେବୀ ହେବା ସହ ଜଣେ ପୁଲିସ୍‌ ଅଧିକାରୀ ହେବାର ଲକ୍ଷ୍ୟ ରଖିଥିବା ଶ୍ରୁତି ବର୍ତ୍ତମାନ ସୁଦ୍ଧା ନିଜର ଚକ୍ଷୁ ଦାନ ଓ କେଶ ଦାନ କରି ସାରିଥିବା ବେଳେ ଆଗକୁ ନିଜର ଅଙ୍ଗଦାନ କରିବାର ଲକ୍ଷ୍ୟ ରଖିଛନ୍ତି ।

ସମ୍ବନ୍ଧିତ ଖବର