ସରକାରଙ୍କ ଅଜବ ନୀତି: କୋର୍ସ ଖୋଲିବାକୁ ଅନୁମତି ଦେଲେ, ଚାକିରୀ ବେଳକୁ ମନା

ଓଏସଏସଟିଇଟି ଓ ଓଟିଇଟି ପାଇଁ ଆବେଦନ କରିପାରୁନାହାନ୍ତି ଇଣ୍ଟିଗ୍ରେଟେଡ଼ ବିଇଡ଼ି-ଏମଇଡ଼ି ଛାତ୍ରଛାତ୍ରୀ

ବାରିପଦା(ରାଜ କିଶୋର ଦାଶ): ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ସେଲ୍ଫ୍‌ ଫାଇନାନ୍ସ୍‌ ବ୍ୟବସ୍ଥାରେ ତିନି ବର୍ଷିଆ ଇଣ୍ଟିଗ୍ରେଟେଡ଼ ବିଇଡ଼ି-ଏମଇଡ଼ି ପାଠ୍ୟକ୍ରମ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଲେ। ରାଜ୍ୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏସସିଇଆରଟି) ଏହି କୋର୍ସକୁ ଡିଜାଇନ୍‌ କରିଥିଲା। ନ୍ୟାସ୍‌ନାଲ କାଉନ୍‌ସିଲ ଫର୍‌ ଟିଚର୍‌ ଏଜୁକେସନ (ଏନ୍‌ସିଟିଇ) ଏହି କୋର୍ସକୁ ଅନୁମୋଦନ ମଧ୍ୟ କରିଛି। ପ୍ରାଥମିକ ସ୍କୁଲ୍‌ଠୁଁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଶିକ୍ଷକ ତାଲିମ ସଂସ୍ଥାରେ ଶିକ୍ଷକତା କରିବା ନିମନ୍ତେ ଏହି ତିନି ବର୍ଷିଆ ଶିକ୍ଷକ ତାଲିମ୍‌ ପାଠ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। ବର୍ତ୍ତମାନ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବାରିପଦା, ଫକୀର ମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ୱର ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବୁର୍ଲାରେ ଏହି ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି। ୨୦୧୬ ମସିହାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଏହି ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ଭବିଷ୍ୟତରେ ଶିକ୍ଷକତା କରିବାର ସୁଯୋଗ ମିଳିବା ଏବଂ ଏକ ସୁନ୍ଦର ଭବିଷ୍ୟତର ଆଶା ନେଇ ୫୦ଟି ସିଟ୍‌ରେ ଛାତ୍ରଛାତ୍ରୀମାନେ ଆଡ଼୍‍ମିସନ ନେଇଥିଲେ। ଏଥିପାଇଁ ବାର୍ଷିକ ୫୦ ହଜାର ଟଙ୍କା ମଧ୍ୟ ବ୍ୟୟ କରୁଛନ୍ତି।

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେଏହି ପାଠ୍ୟକ୍ରମରେ ନାମ ଲେଖାଇଥିବା ପ୍ରଥମ ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ କିନ୍ତୁ ନିଜ ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କାରଣ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଚାଲିଥିବା ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍‌ ଟିଚର୍‌ ଏଲିଜିବିଲିଟ୍‌ ଟେଷ୍ଟ (ଓଏସଏସଟିଇଟି)ରେ ଏହି ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ଆବେଦନ କରିପାରୁନାହାନ୍ତି। ଅନ୍‌ଲାଇନ ପ୍ରକ୍ରିୟାରେ ଆବେଦନ ହେଉଥିବା ଓଏସଏସଟିଇଟିରେ ଇଣ୍ଟିଗ୍ରେଟେଡ଼ ଏମଇଡ଼ି-ବିଇଡ଼ି ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫଳରେ ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିବାରେ ବିଫଳ ହେଉଛନ୍ତି। ସେହିପରି ଓଟିଇଟି, ସିଟିଇଟି, ଏନ୍‌ଇଟି ଏବଂ ଜେଆରଏଫ୍‌ ଆବେଦନ କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନେ ସମାନ ଦଶା ଭୋଗୁଛନ୍ତି। ଏନେଇ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶତାଧିକ ଛାତ୍ରଛାତ୍ରୀ ନିଜ ଭବିଷ୍ୟତକୁ ନେଇ ଅନ୍ଧାରରେ ଅଛନ୍ତି। କୋର୍ସ ଖୋଲିବା ବେଳେ ସୁନେଲି ସ୍ୱପ୍ନ ଦେଖାଯାଇଥିଲା। ମାତ୍ର ବର୍ତ୍ତମାନ ରାଜ୍ୟ ସରକାର କରିଥିବା ନିୟମ କାରଣରୁ ହଜାର ହଜାର ଟଙ୍କା ବ୍ୟୟ କରି ଏହି ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ହତାଶ୍‌ ହୋଇପଡ଼ିଛନ୍ତି।

ତିନି ବର୍ଷ କାଳ ଏହି ପାଠ ପଢ଼ି ଯଦି ଶିକ୍ଷକତା ନିମନ୍ତେ ଆବେଦନ କରିପାରିବେନି ତେବେ ଏହି ପାଠ୍ୟକ୍ରମର କୌଣସି ମୂଲ୍ୟ ନଥିବା ଛାତ୍ରଛାତ୍ରୀମାନେ କ୍ଷୋଭର ସହିତ ପ୍ରକାଶ କରିଛନ୍ତି। ଏନେଇ ଛାତ୍ରଛାତ୍ରୀମାନେ ସୋମବାର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଭେଟି ଅଭିଯୋଗପତ୍ର ଦେଇଛନ୍ତି। ଏସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣେଇବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଳପତି ପ୍ରକାଶ କରିଛନ୍ତି। ଅନ୍ୟ ଦୁଇ ବିଶ୍ୱବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀମାନେ ସମାନ ଦଶା ଭୋଗୁଥିବା ସୂଚନା ମିଳିଛି। ତେବେ ମାଧ୍ୟମିକ ଶିକ୍ଷା ପରିଷଦର ଏପରି ବିଚିତ୍ର ନୀତିକୁ ନେଇ ଛାତ୍ରଛାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଆଇନ୍‌ର ଆଶ୍ରୟ ନେବେ ବୋଲି ସୂଚନା ମିଳିଛି। ତେବେ ମଙ୍ଗଳବାର ଥିଲା ଓଏସଏସଟିଇଟି ପାଇଁ ଆବେଦନ କରିବା ଅନ୍ତିମ ତାରିଖ। ଯେହେତୁ ଏହି ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ ତେଣୁ ଏହାର ଆବେଦନ ତାରିଖକୁ ଘୁଞ୍ଚାଯାଉ। ଏହାସହିତ ଅନ୍ୟାନ୍ୟ ବିଭିନ୍ନ ଶିକ୍ଷକ ତାଲିମ ପରୀକ୍ଷାରେ ମଧ୍ୟ ଇଣ୍ଟିଗ୍ରେଟେଡ଼ ବିଇଡ଼ି-ଏମଇଡ଼ି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବାକୁ ଦାବି ଜୋର୍‌ ଧରିଛି। ଅନ୍ୟଥା ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରି ଇଲାକାକୁ ଚାଲିଯିବ। ବାଧ୍ୟହୋଇ ଶତାଧିକ ଛାତ୍ରଛାତ୍ରୀ ସରକାର ସେମାନଙ୍କ ସହିତ ପ୍ରତାରଣା କରିଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲେଇବାକୁ ବାଧ୍ୟହେବେ ବୋଲି ପ୍ରକାଶ। ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀଙ୍କୁ ବାହାର ରାଜ୍ୟରେ ବିଇଡ଼ି କରିବାର ଲୋଭ ଦେଖାଇ ବର୍ତ୍ତମାନ ରାଜ୍ୟରେ ଛତୁ ଫୁଟିବା ଭଳି ପ୍ରାଇଭେଟ୍‌ ସଂସ୍ଥା କାର୍ଯ୍ୟ କରୁଛନ୍ତି। ନିରୀହ ଛାତ୍ରଛାତ୍ରୀଙ୍କଠାରୁ ଏନେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ ଚାଲିଛି। ତେବେ ରାଜ୍ୟ ସରକାରଙ୍କର ଅଧିନରେ ମଧ୍ୟ ପରୋକ୍ଷ ଉପାୟରେ ଏହି କୋର୍ସ ମାଧ୍ୟମରେ ଏଭଳି କାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର