ରାଇରଙ୍ଗପୁର: କୂଅରୁ ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇରଙ୍ଗପୁର:  କୂଅରୁ ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ। ବଳଭଦ୍ରପୁର ଗ୍ରାମରେ ଥିବା ଏକ କୂଅରେ ଧୋତି ସାହାଯ୍ୟରେ ଫାସୀ ଲଗାଇ ବୃଦ୍ଧ ଜଣକ ଝୁଲିଥିବା ବେଳେ ଧୋତି ଛିଣ୍ଡି ଯାଇ ବୃଦ୍ଧ ଜଣକ କୂଅରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଥିଲେ।

କୂଅରେ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ପୁଲିସ୍‌କୁ ଖବର ଦେବାରୁ ରାଇରଙ୍ଗପୁର ଟାଉନ ଥାନା ପୁଲିସ୍‌ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ମୃତ ବୃଦ୍ଧ ଜଣକ ସେହି ଗ୍ରାମର ୭୨ ବର୍ଷ ବୟସ୍କ ଶିବ ଚରଣ ମହାନ୍ତ ବୋଲି ଜଣାପଡ଼ିଛି। ତେବେ ରାଇରଙ୍ଗପୁର ଟାଉନ ଥାନା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବୃଦ୍ଧ ଜଣକ ଦିବ୍ୟାଙ୍ଗ ଓ ତାଙ୍କ ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଭଲ ଭାବରେ କାମ କରୁନଥିବାରୁ କେମିତି ସେ ଧୋତି ସାହାଯ୍ୟରେ କୂଅରେ ଫାସୀ ଲଗାଇ ପାରିଲେ ଓ ଧୋତିଟି ମଧ୍ୟ ଛିଣ୍ଡି ଯିବା ଘଟଣାକୁ ଦେଖିଲେ କେହି ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି।

ସେପଟେ ବୃଦ୍ଧ ଜଣକ ରାତି ପ୍ରାୟ ଆଠଟା ପର୍ଯ୍ୟନ୍ତ ଘରେ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ତେବେ ପୁଲିସର ତଦନ୍ତ ପରେ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଗାଁରେ ଚର୍ଚ୍ଚା ହେଉଛି।ଏ ନେଇ ଟାଉନ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର