ଲାଞ୍ଚୁଆ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସ୍ୱାମୀଙ୍କୁ ଜେଲ୍‌

ବାରିପଦା : ବାରିପଦା ଭିଜିଲାନ୍‌ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାର କରି ଲାଞ୍ଚୁଆ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ତାଙ୍କ ସ୍ୱାମୀଙ୍କୁ ଜେଲ୍‌ ଓ ଅର୍ଥଦଣ୍ଡ ଶୁଣାଣି କରିଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୧୨ ମସିହା ମାର୍ଚ୍ଚ ମାସ ୩ ତାରିଖ ଦିନ ବିଶୋଇ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ମାରାଣ୍ଡି ସେହି ବିଦ୍ୟାଳୟର ଜଣେ ଛାତ୍ରୀ ପାର୍ବତୀ ଲୋହାରଙ୍କୁ ଘର ଠିକଣା ପରିବର୍ତ୍ତନ କରାଇଦେବା ପାଇଁ ନିଜ ସ୍ୱାମୀ ମଧୁସୂଦନ ମୁର୍ମୁଙ୍କ ଜରିଆରେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଭିଜିଲାନ୍‌ସ ହାତରେ ଧରା ପଡ଼ିଥିଲେ। ଛାତ୍ରୀ ପାର୍ବତୀଙ୍କୁ ଘର ଠିକଣା ପରିବର୍ତ୍ତନ କରିବାକୁ ପ୍ରଧାନ ଶିକ୍ଷୟିତ୍ରୀ କହିବା ପରେ ପାର୍ବତୀ ଏ ସଂପର୍କରେ ନିଜ ଜେଜେ ଲକ୍ଷ୍ମଣ ଲୋହାଙ୍କୁ ଜଣାଇଥିଲେ। ଏ ନେଇ ପାର୍ବତୀର ଜେଜେ ଲକ୍ଷ୍ମଣ ଭିଜିଲାନ୍‌ସ ପୁଲିସକୁ ଜଣାଇଥିଲେ। ଭିଜିଲାନ୍‌ସ ପୁଲିସର ଯୋଜନା ପ୍ରକାରେ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ତାଙ୍କ ସ୍ୱାମୀ ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଥିଲେ। ଏ ନେଇ ଭିଜିଲାନ୍‌ସ ପୁଲିସ ପକ୍ଷରୁ ଏକ ମାମଲା (ଭିଜିଆର୍‌ କେଶ ନଂ ୭/୨୦୧୨) ରୁଜୁ କରାଯାଇଥିଲା। ଆଜି ଜଜ୍‌ ତାରା ପ୍ରସାଦ ରଥ ଏହି ମାମଲାର ବିଚାର କରି ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ମାରାଣ୍ଡିଙ୍କୁ ବର୍ଷେ ଜେଲ୍‌ ଓ ୫ ହଜାର ଟଙ୍କା ଜୋରିମାନା (ଅନାଦେୟ ୩ ମାସ) ଏବଂ ତାଙ୍କ ସ୍ୱାମୀ ମଧୁସୂଦନ ମୁର୍ମୁଙ୍କୁ ୬ ମାସ ଜେଲ, ୩ ହଜାର ଟଙ୍କା ଜୋରିମାନା (ଅନାଦେୟ ୨ ମାସ ଜେଲ୍‌) ଶୁଣାଣି କରିଛନ୍ତି। ମାମଲାଟିକୁ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର