ହସ୍ତଶିଳ୍ପ କାରିଗରଙ୍କ ଉପରେ କରୋନା ମାଡ଼: ନା ମିଳୁଛି କଞ୍ଚାମାଲ, ନା ବିକ୍ରି ହେଉଛି ସାମଗ୍ରୀ

ଭୁବନେଶ୍ୱର: କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି ହସ୍ତଶିଳ୍ପ କାରିଗର | ଆଉ ଏହି ସମୟରେ ସହାୟତା ଯୋଗାଇଦେବାକୁ ହସ୍ତଶିଳ୍ପ କାରିଗରମାନେ ଦାବି କରିଛନ୍ତି | ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ ବା ଅରୂପା ପକ୍ଷରୁ କୁହାଯାଇଛି ଯେ ମହାମାରୀ କରୋନା ଯୋଗୁଁ କାରିଗରମାନେ କାମ ଧନ୍ଦା ହରାଇ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି | ବିଶେଷ କରି କାରିଗରମାନଙ୍କୁ କଞ୍ଚାମାଲ ନ ମିଳିବା ଓ ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ବନ୍ଦ ରହିବା ଯୋଗୁଁ କାରିଗର ଓ ବୁଣାକାରମାନେ ରୋଜଗାର ହରାଇଛନ୍ତି | ଆଉ ତୁରନ୍ତ ସେମାନଙ୍କୁ କରୋନା ସହାୟତା ଦେବାକୁ ଦାବି କରିଛନ୍ତି |

ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡା ଓ ପୁରୀରେ ପ୍ରାୟ ୪୦୦ ଜଣ ହସ୍ତଶିଳ୍ପ କାରିଗର ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ମିଳିତ ଦାବିପତ୍ର ପ୍ରଦାନ କରିଛନ୍ତି | ଏଥିରେ ଦର୍ଶାଯାଇଛି ଯେ ହସ୍ତଶିଳ୍ପ କାରିଗରମାନଙ୍କୁ ତୁରନ୍ତ ସହାୟତା ରାଶି ଦେବା ସହ ଆତ୍ମନିର୍ଭର ଭାରତ ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ସାମିଲ କରାଯାଉ |

ସେହିପରି ନୂତନ ଡିଜାଇନ, ନୂତନ ଯନ୍ତ୍ରପାତି ଆଦି ଯୋଗାଇଦେବାକୁ ବ୍ୟବସ୍ଥା କରାଯିବାକୁ କାରିଗରମାନେ ଅନୁରୋଧ କରିଛନ୍ତି | ଆଉ ଏସବୁ ଦାବି ପୂରଣ ପାଇଁ ଶେଷରେ ରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି ଶହ ଶହ କଳାକାର | ଅରୂପା ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ସାହୁଙ୍କ କହିବା କଥା ଯେ କୋଭିଡ-୧୯ ଯୋଗୁଁ ବହୁ ହସ୍ତଶିଳ୍ପ କାରିଗର ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବାବେଳେ ସରକାର ଏମାନଙ୍କ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି |

ସମ୍ବନ୍ଧିତ ଖବର

Comments are closed.