ହିନ୍ଦୁସ୍ଥାନ ଇଂଜିନିୟରିଂ ପକ୍ଷରୁ ଚାଲିଥିବା ନିଯୁକ୍ତିରେ ଘୋଟାଲା ଅଭିଯୋଗ

ଏଜେନ୍ସି ଓ ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ

ବାରିପଦା : ବିଦ୍ୟୁତ କ୍ଷେତ୍ରରେ ନିଯୁକ୍ତିରେ ଘୋଟାଲା ଅଭିଯୋଗ। ଦଲାଲଙ୍କ ମାତ୍ରାଧିକ ହସ୍ତକ୍ଷେପ କାରଣରୁ ବେକାର ଯୁବକ ଯୁବତୀ ଠକେଇର ଶିକାର ହେଉଛନ୍ତି। ସେହିପରି ସ୍ଥାନୀୟ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଥିବା ବେଳେ ଲାଞ୍ଚ ଦେଇ ବହୁ ବାହାର ତଥା ଅଯୋଗ୍ୟ ପିଲା ନିଯୁକ୍ତି ସୁଯୋଗ ହାତଉଥିବା ଅଭିଯୋଗ ହୋଇଛି। ନିଯୁକ୍ତି ଦେଉଥିବା ଏଜେନ୍ସି ଏବଂ ସେମାନଙ୍କର ପ୍ରତିନିଧିମାନେ ସ୍ୱେଚ୍ଛାଚାରୀ ଭାବରେ ନିଯୁକ୍ତି ପାଇଁ ରହିଥିବା ସରକାରୀ ନୀତି ନିୟମକୁ ଖୋଲାଖୋଲି ଉଲଂଘନ କରି ନିଯୁକ୍ତି ଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟଯେ ଟାଟା ପାୱାର (ଟିପିଏନଓଡିଏଲ) ବାରିପଦା ଏବଂ ଉଦଳା ବିଦ୍ୟୁତ ଡିଭିଜନରେ ଗ୍ରେଡ୍‌-୪ କର୍ମଚାରୀ ନିଯୁକ୍ତି ପାଇଁ ହିନ୍ଦୁସ୍ଥାନ ଇଞ୍ଜିନିୟରିଂ ନାମକ ଏକ ଏଜେନ୍ସିକୁ ଟେଣ୍ଡର ପ୍ରଦାନ କରାଯାଇଛି।   ତେବେ ଏବାବଦରେ ଏଜେନ୍ସି ପକ୍ଷରୁ ଚଳିତ ମାସ ୫ ତାରିଖରେ ହିଁ ବିଜ୍ଞାପନ ଦେଇଥିଲା। ବିଜ୍ଞାପନରେ ଆବେଦନର ଶେଷ ତାରିଖ, ସାକ୍ଷାତକାର ସ୍ଥାନର କୌଣସି ଠିକଣା କିମ୍ବା ଫୋନ ନମ୍ବର ମଧ୍ୟ ଦିଆଯାଇନଥିଲା। ପୂର୍ବରୁ ମଧ୍ୟ କୌଣସି ନୀତିଗତ ସୂଚନା ବା ବିଜ୍ଞାପନ ଦିଆଯାଇ ନଥିଲା ବୋଲି ଜଣାଯାଇଛି। ତେବେ ୫ତାରିଖ ଦିନ ସକାଳେ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ, ସେହି ଦିନହିଁ ବାରିପଦା ଦେଉଳି ରୋଡ ଅଞ୍ଚଳର ଏକ ଘରେ ନିଯୁକ୍ତି ପାଇଁ ସାକ୍ଷାତକାର ଚାଲିଥିଲା ​​ଓ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ହୋଇଥିଲା। ତେବେ ଦୂର ଦୂରାନ୍ତରୁ ଆସିଥିବା ବେକାର ପିଲାଙ୍କର ପ୍ରବଳ ଗହଳି ଦେଖି ଲୋକେ ଘଟଣା ବୁଝି ଅଭିଯୋଗ ଆଣିଥିଲେ। ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ଏଜେନ୍ସି ପକ୍ଷରୁ ସ୍ୱଚ୍ଛତା ଅବଲମ୍ବନ କରା ନଯାଇ ନିଯୁକ୍ତି ପ୍ରକ୍ରିୟାରେ ଦଲାଲ ମାନଙ୍କୁ ଲଗାଇ ବ୍ୟାପକ ଦୂର୍ନିତି ହୋଇଥିବାର ଅଭିଯୋଗ କରି ଆଜି ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ଏବଂ ଉତ୍ତର ପୂର୍ବାଂଚଳ ବିଦ୍ୟୁତ ଠିକାଦାର ସଂଘ ପକ୍ଷରୁ ଏଜେନ୍ସି ଅଫିସ ଓ ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଶହ ଶହ ବିଦ୍ୟୁତ ଶ୍ରମିକ ଏକତ୍ରିତ ହୋଇ ଘେରାଓ କରାଯାଇଥିଲା। ଏବାବଦରେ ହିନ୍ଦୁସ୍ଥାନ ଇଞ୍ଜିନିୟରିଂ କତୃପକ୍ଷଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ରିସିଭ କରିନଥିବାରୁ ପ୍ରତିକ୍ରିୟା ମିଳି ନଥିବା ବେଳେ, ବିଦ୍ୟୁତ ଭିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏବାବଦରେ ପଚାରିବାରୁ କର୍ମଚାରୀ ନିଯୁକ୍ତି ହିନ୍ଦୁସ୍ଥାନ ଇଞ୍ଜିନିୟରିଂ ଏଜେନ୍ସିର କାର୍ଯ୍ୟ ବିଭାଗ ଏଥିରେ କୌଣଷି ହସ୍ତକ୍ଷେପ କରେ ନାହିଁ ବୋଲି କହିଛନ୍ତି। ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ୫ ତାରିଖ ଦିନ ପିଲାଙ୍କ ଠାରୁ ବେଆଇନ ଭାବେ ନିଆଯାଇଥିବା ଦସ୍ତାବିଜରେ ବିଦ୍ୟୁତ ବିଭାଗୀୟ ଜେଇ ତଥା ଅନ୍ୟ କର୍ମଚାରୀ ମାନଙ୍କର ନନ ଅଫିସିଆଲ ସୁପାରିସ କରାଯାଇଥିବାର ଦେଖା ଯାଇଛି। ଏଣୁ ଏହି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଘୋଟାଲା ହୋଇଥିବାର ଅଭିଯୋଗ କରାଯାଇ ଘେରାଓ କରାଯିବା ସହିତ ତୁରନ୍ତ ସଠିକ ଉପାୟରେ କର୍ମଚାରୀ ନିଯୁକ୍ତି କରାଯିବା ପାଇଁ ଦାବି ହୋଇଛି।ଏଥିସହିତ ଅନୀୟମିତତା ଓ ଘୋଟାଲାରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବୀ କରିଛନ୍ତି ଘେରାଓ କରିଥିବା ଆନ୍ଦୋଳନ କାରୀମାନେ।

 

ସମ୍ବନ୍ଧିତ ଖବର