ବଞ୍ଚିବାକୁ ରାହା ଖୋଜୁଛନ୍ତି ୩ ଅନାଥ ଶିଶୁ: ପରପୁରୁଷ ସହ ଚାଲିଗଲା ମା’, ଅକାଳରେ ଆଖି ବୁଜିଲେ ବାପା

କପ୍ତିପଦା: ନିଜ ଜନ୍ମକଲା ୩ ଶିଶୁଙ୍କୁ ଛାଡ଼ି ପରପୁରୁଷ ସହିତ ଚାଲିଗଲା ମା’। ପିତା ବୁବୁଲ ମୁର୍ମୁ (୫୦) ବହୁ ଦୁଃଖ କଷ୍ଟରେ ପିଲାମାନଙ୍କ ଦେଖାଶୁଣା କରୁଥିଲେ। ମାତ୍ର ଦଇବ ଦାଉ ସାଧିଲା। ଗତ ଲକ୍ଷ୍ମୀପୂଜା ଦିନ ବୁବୁଲଙ୍କର ଅକାଳରେ ମୃତ୍ୟୁ ଘଟିଲା ଓ ତାଙ୍କ ୩ ଶିଶୁ ଦୁନିଆ ଦାଣ୍ଡରେ ଅନାଥ ହୋଇଗଲେ। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ୍‌ ଶରତ ପଞ୍ଚାୟତ ଖଟୁଆପଡ଼ା ଗ୍ରାମରେ।
ବୁବୁଲ ଓ ସାଲ୍‌ଗେ ନିଜ ୩ ସନ୍ତାନ; ପୁଅ ଜଗା (୧୧) ଓ ପିତାମ୍ବର (୯), ଝିଅ ନଁହା(୭)ଙ୍କ ସହ ହସଖୁସିରେ ରହୁଥିଲେ। ତେବେ ୩ ବର୍ଷ ପୂର୍ବେ ମା’ ସାଲ୍‌ଗେ ଅନ୍ୟ ପୁରୁଷ ସହିତ ସଂସାର କରିବା ପାଇଁ ସ୍ବାମୀ ଓ ପିଲାମାନଙ୍କୁ ଛାଡ଼ି ଦେଇଥିଲେ। ପିତା ବୁବୁଲ ବହୁ କଷ୍ଟରେ ପିଲାମାନଙ୍କ ପେଟକୁ ଦାନା ଯୋଗାଡ଼ କରୁଥିବା ବେ‌ଳେ ତାଙ୍କ ମୃତ୍ୟୁ ପରେ ସେମାନେ ବେସାହାର ହୋଇ ପଡ଼ିଥିଲେ। ଅନ୍ୟୋପାୟ ନପାଇ କକା ଜଗନ୍ନାଥ ୩ ପିଲାଙ୍କୁ ଆପଣେଇ ନେଇଥିଲେ। ହେଲେ ସେ ମଧ୍ୟ ଅତ୍ୟନ୍ତ ଗରିବ ହୋଇଥିବାରୁ ପିଲାମାନଙ୍କୁ ଅଧିକ ଦିନ ପ୍ରତିପୋଷଣ କରିବାକୁ ଅକ୍ଷମତା ପ୍ରକାଶ କରିଛନ୍ତି।


ଏନେଇ ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧି ବ୍ଲକ୍‌ ଯୋଗାଣ ଅଧିକାରୀ ଭାସ୍କର ଚନ୍ଦ୍ର ବାରିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଅଶ୍ରୀ ବାରିକ୍ ଖଟୁଆପଡ଼ା ଗ୍ରାମରେ ପହ‌ଞ୍ଚି ସହଯୋଗର ହାତ ବଢ଼ାଇଛନ୍ତି। ସରକାରୀ ନିୟମାନୁସାରେ ବାପାଙ୍କ ନାମରେ ଥିବା ରାସନ୍‌ କାର୍ଡରେ ଉକ୍ତ ୩ ଶିଶୁଙ୍କ ନାମ ଯୋଡ଼ିବା ସହିତ ସେମାନେ କିପରି ସବୁ ମାସ ଚାଉଳ ପାଇପାରିବେ ତାହା ସୁନିଶ୍ଚିତ କରିଛନ୍ତି। ଏଥିସହ ବ୍ୟକ୍ତିଗତ ଭାବେ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ଗୌରଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ୩ ଶିଶୁଙ୍କ ମଧ୍ୟରୁ; ଜଗା ଷଷ୍ଠ ଶ୍ରେଣୀ, ପିତାମ୍ବର ଚତୁର୍ଥ ଓ କନ୍ୟା ନଁହା ଦ୍ବିତୀୟରେ ପଢ଼ୁଥିବା ବେଳେ ସରକାରୀସ୍ତରରେ ସେମାନଙ୍କ ଥଇଥାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ସମ୍ବନ୍ଧିତ ଖବର