ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ଥମୁନି। ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟର ହାତୀପଲ କେବଳ ଧାନ ଅମଳ ବେଳେ ଜନବସତିକୁ ପଶି ଆସିବା ସହିତ ଫସଲ ନଷ୍ଟ କରୁଥିଲେ। ମାତ୍ର ଏବେ ବର୍ଷସାରା ଶିମିଳିପାଳ ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡୀ ହାତୀ ଉତ୍ପାତ କରୁଛନ୍ତି। ପୂର୍ବରୁ କେବଳ ଗ୍ରାମରେ ପଶୁଥିବା ହାତୀପଲ ଏବେ ବାରିପଦା, କରଞ୍ଜିଆ ଭଳି ସହରକୁ ପଶି ଆସୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଜନସାଧାରଣଙ୍କ ସହିତ ବନ ବିଭାଗକୁ ବର୍ଷସାରା ନାକେଦମ୍ ହେବାକୁ ପଡ଼ୁଛି।
ବନ ବିଭାଗର ସୂଚନା ଅନୁସାରେ; ବିଗତ ୫ ବର୍ଷରେ ହାତୀ ଆକ୍ରମଣରେ ଜିଲ୍ଲାରେ ୬୩ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୨୮ଟି ହାତୀଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ହାତୀପଲ ୨୫୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିଥିବା ବେଳେ ୭ ହଜାର ହେକ୍ଟରରୁ ଅଧିକ ଜମିରେ ଫସଲ ନଷ୍ଟ କରିଛନ୍ତି। ସେଥିମଧ୍ୟରୁ ୨୦୧୯ ମସିହାରେ ୫ଟି ହାତୀଙ୍କର ମୃତ୍ୟୁ ଘଟିଥିଲା ଓ ୧୩ଜଣ ଲୋକଙ୍କ ଜୀବନ ଯାଇଥିଲା। ସେହିପରି ୨୦୨୦ ମସିହାରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଲୋକ, ୨୦୨୧ ମସିହାରେ ୬ଟି ହାତୀ ଓ ୧୨ଜଣ ଲୋକ, ୨୦୨୨ ମସିହାରେ ୪ଟି ହାତୀ ଓ ୧୬ ଜଣ ଲୋକ, ୨୦୨୩ ମସିହାରେ ୫ଟି ହାତୀ ଓ ୯ଜଣ ଲୋକ ଏବଂ ୨୦୨୪ ମସିହାରେ ୫ଟି ହାତୀ ଓ ୬ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ଗତ ୫ ବର୍ଷରେ ହାତୀ ଶିକାର କରିବା ଓ ଦାନ୍ତ ଲୁଟ୍ ମାମଲାରେ ପାଖାପାଖି ୬୦ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଜଣ ହେଉଛନ୍ତି ବାହାର ରାଜ୍ୟର ହାତୀଦାନ୍ତ ତସ୍କର।
ଶିମିଳିପାଳରେ ଶିକାରୀଙ୍କ ପ୍ରାଦୁର୍ଭାବ, କାଠ ମାଫିଆଙ୍କ ରାଜୁତି, ଶିମିଳିପାଳ ପାଦଦେଶରେ ଅନେକ ସ୍ଥାନରେ ଥିବା ବେଆଇନ ପଥର ଖନନ ପାଇଁ ଡିନାମାଇଟ୍ ବିସ୍ଫୋରଣ, ବିଭିନ୍ନ ସମୟରେ ଜଙ୍ଗଲରେ ଅଗ୍ନିକାଣ୍ଡ ଯୋଗୁ ଜୈବ ବିବିଧତା ତ ନଷ୍ଟ ହେଉଛି। ତା’ ସାଙ୍ଗକୁ ହାତୀମାନେ ପର୍ଯ୍ୟାପ୍ତ ଖାଦ୍ୟ ନପାଇ ଓ ଭୟଭୀତ ହୋଇ ଜନବସତିମୁହାଁ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ କାରଣରୁ ହାତୀ-ମଣିଷ ଲଢ଼େଇରେ ରୋକ୍ ଲଗାଇବା ପାଇଁ ବନ ବିଭାଗ ଯେତିକି ତତ୍ପର ହେବାକଥା ହୋଇପାରୁନି। ତେବେ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ଅତ୍ୟନ୍ତ ଉଦ୍ବେଗଜନକ ବୋଲି ପରିବେଶବିତ୍ ମତ ରଖିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଭିନ୍ନ ମତ ରଖିଛନ୍ତି ଡିଏଫ୍ଓ ଏ ଉମା ମହେଶ। ସେ କହିଛନ୍ତି; ହାତୀ-ମଣିଷ ଲଢ଼େଇ ବୋଲି କିଛିନାହିଁ। ହାତୀଙ୍କଠାରେ ଅନ୍ୟ ଜୀବନଙ୍କଠାରୁ ଧୀଶକ୍ତି ସାଧାରଣତଃ ଅଧିକ। ତେଣୁ ସେମାନେ ଗୋଠରେ ରହିବାକୁ ପସନ୍ଦ କରନ୍ତି। ସେମାନଙ୍କ ଉପରେ କୌଣସି ବିପଦ ଆସିବା ଜାଣିଲେ ଆକ୍ରମଣ କରନ୍ତି। ତେବେ, ଆମେ ହାତୀ ଜନିତ କ୍ଷୟକ୍ଷତିକୁ ଆକଳନ କରି ଭରଣା କରୁଛି।