ରାଇରଙ୍ଗପୁର/ଜାମଦା(୨) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ମାନବୀର ଅଞ୍ଚଳର ଚଟାଣୀସାହିରେ ଗତକାଲି ରାତିରେ ବୋମା ମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ତ୍ରୀ ଗୁରୁତର ହୋଇ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତିି ହୋଇଛନ୍ତି। ଆଜି ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆସି ଘଟଣାସ୍ଥଳରେ ଅନୁସନ୍ଧାନ ସାରି ଫେରିଛନ୍ତି। ଏନେଇ ଜାମଦା ଥାନାରେ ୩୦୨ ଓ ୩୨୩ ଦଫାରେ ୩/୧୮ନଂ.ରେ ଏକ ମାମଲା ରୁଜୁ ହୋଇଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ହେବ। ଚଟାଣୀସାହିର ଶ୍ୱଶୂର ସ୍ୱର୍ଗତ ଗଙ୍ଗାରାମ ହେମ୍ବ୍ରମ୍ଙ୍କ ଘରେ ଜ୍ୱାଇଁ ଡୁମୁରିଆ ଗ୍ରାମର ବାଢ଼ା ବାସ୍କେ(୩୩) ଶୋଇଥିଲେ। ଏତିକିବେଳେ ଝରକା ଦେଇ କୋଠରୀ ଭିତରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ବାଢ଼ାଙ୍କ ମୃତ୍ୟୁ ଘଟିଥିଲା। ପାଖରେ ଥିବା ତାଙ୍କ ପତ୍ନୀ ସାକ୍ର ବାସ୍କେ (୩୦) ଗୁରୁତର ହୋଇଥିଲେ। ସାକ୍ରଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତିି କରାଯାଇଛି। ଆଜି ସକାଳେ ଜାମଦା ଥାନାଧିକାରୀ ନରେନ୍ଦ୍ର ଦାସ, ଏସ୍ଡିପିଓ ଅମୂଲ୍ୟ କୁମାର ଧୀର, ଏଏସ୍ପି ଅଶୋକ ପଟ୍ଟନାୟକ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଖବର ଲେଖା ବେଳକୁ ପୁଲିସ ଦୁର୍ବୃତ୍ତଙ୍କ ଟେର୍ ପାଇ ନଥିଲା।