ପତ୍ନୀକୁ ତଣ୍ଟିଚିପି ହତ୍ୟାକଲା ନିଶାସକ୍ତ ସ୍ବାମୀ

ଶାଳଚୁଆ : ଶରତ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଦୋଳିପଡା ଗ୍ରାମରେ ଗତକାଲି ଜଣେ ନିଶାସକ୍ତ ସ୍ବାମୀ ନିଜ ପତ୍ନୀର ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ମହିଳା ସଂଗଠନଗୁଡ଼ିକ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ମଦ ବିକ୍ରିକୁ ବିରୋଧ କରି ଥାନା ଘେରଉ କରିଛନ୍ତି। ଅନ୍ୟପକ୍ଷରେ ଉଦଳା ପୁଲିସ ଅଭିଯୁକ୍ତ ଟିକନକୁ ଅଟକ ରଖିଥିବା ବେଳେ ଶରତ ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, ଦୋଳିପଡ଼ା ଗ୍ରାମର ବାଇଧର ଦେହୁରୀଙ୍କ ପୁଅ ଟିକନ ଶନିବାର ସଂଧ୍ୟାରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିବା ପରେ ପତ୍ନୀ ସରିତା ସହ ପାଟିତୁଣ୍ଡ କରିଥିଲା। ପରେ ଉତ୍ତେଜିତ ଅବସ୍ଥାରେ ସରିତାକୁ ତଣ୍ଟିଚିପି ମାରିଦେଇଥିଲା। ପାଖରେ ଥିବା ସରିତାଙ୍କ ପୁଅ ଭୟରେ ଘରୁ ଦୌଡ଼ି ପଳାଇବା ସହ ଉକ୍ତ ଗ୍ରାମରେ ଥିବା ନିଜ ମାମୁଘର ଲୋକଙ୍କୁ ଖବର ଦେଇଥିଲା। ସ‌େଙ୍ଗ ସଙ୍ଗେ ସରିତାଙ୍କ ବାପା ସତ୍ୟନାରାୟଣ ଆସିବା ବେଳକୁ ଜ୍ୱାଇଁ ଟିକନ ଝିଅ ସରିତାକୁ ନେଇ ଉଦଳା ଡାକ୍ତରଖାନାକୁ ଯାଇଥିବା ଜାଣିବାକୁ ପାଇଥିଲେ। ତେବେ ଏ ସଂପର୍କରେ ସେ ଶରତ ଥାନାରେ ଅଭିଯୋଗ କରିଥିଲେ। ସେପଟେ ଉଦଳା ପୁଲିସ ଅଭିଯୁକ୍ତ ଟିକନକୁ ଅଟକ ରଖିଥିବା ଜଣାପଡିଛି। ଶରତ ଥାନା ପକ୍ଷରୁ କେସ୍‌ ନଂ ୪୮/୧୮ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଉକ୍ତ ଘଟଣାକୁ ନେଇ ଆଜି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଗଠନ ପକ୍ଷରୁ ଥାନା ଘେରଉ କରାଯାଇଛି। ନିଶାସେବନ କରି ଆଦିବାସୀ ବହୁଳ ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏ ଅଞ୍ଚଳରେ ମଦ କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଦାବି କରି ମହିଳାମାନେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଖବର ଲେଖାହେବା ବେଳକୁ ମହିଳାମାନେ ଧାରଣାରୁ ଉଠିଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର