ଭୁବନେଶ୍ବର: ରାଜ୍ୟର ଦୁଇ ଭିନ୍ନ ଜିଲ୍ଲ‌ାରେ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣକ ଗୁରୁତର ଆହତ ହୋଇଛନ୍ତି। ସେ ସଂପର୍କରେ ନିମ୍ନରେ ସୂଚନା ଦିଆଯାଇଛି।

Advertisment

ବାଇକ୍‌ ଉପରେ ଚଢ଼ିଗଲା ହାଇୱା, ୩ ଗୁରୁତର
ବଡ଼ବିଲ: ଆଜି ଅପରାହ୍‌ଣ ପ୍ରାୟ ୩ଟା ସମୟରେ ଯୋଡ଼ା-ବଡ଼ବିଲ ରାସ୍ତାର ବଡ଼ବିଲ କାଠଡିପୋ ନିକଟରେ ଏକ ହାଇୱା ବାଇକ୍‌ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ବାଇକ୍‌ ପଛରେ ବସିଥିବା ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସାଧୁସିଂହଟିଂର ସୁମିତ ଦାସ (୨୪)। ଗୁରୁତର ହେଲେ ରୋହିତ ମହାନ୍ତ (୨୨)। ହାଇୱାଟି (ଓଡି-୧୪-ଡବ୍ଲୁ-୮୯୧୩) ବଡ଼ବିଲରୁ ଭଦ୍ରାସାହି ଆଡ଼କୁ ଯାଉଥିଲା। କାଠଡିପୋ ନିକଟରେ ହଠାତ୍‌ ୟୁଟର୍ନ ନେଇ ବିପରୀତ ଦିଗରୁ ଆସୁଥିବା ବାଇକ୍‌କୁ ଧକ୍କା ଦେଇଥିଲା। ଗୁରୁତର ରୋହିତଙ୍କୁ ବଡ଼ବିଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବଡ଼ବିଲ ପୁଲିସ ଶବ ଜବତ କରିବା ବ୍ୟବଚ୍ଛେଦ କରିଥିବା ବେଳେ ଦୁର୍ଘଟଣା‌ ଘଟାଇଥିବା ହାଇୱାକୁ ଜବତ କରିଛି। ଦୁର୍ଘଟଣା ଘଟାଇବା ପରେ ହାଇୱା ଚାଳକ ଫେରାର ହୋଇଯାଇଛି।

କାର ଧକ୍କାରେ ୩ ବାଇକ୍‌ ଚୂରମାର, ଜଣେ ଗୁରୁତର
ଉଦୟପୁର: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍‌ ଅନ୍ତର୍ଗତ ବିଲ୍ଲା ରାମଚନ୍ଦ୍ରପୁର ଉଚ୍ଚବିଦ୍ୟାଳୟ ସମ୍ମୁଖରେ କାର୍‌ ଧକ୍କାରେ ତିନିଟି ବାଇକ୍‌ ଚୂରମାର ହୋଇଯାଇଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗତକାଲି ଅପରାହ୍‌ଣରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ ବିଲ୍ଲା ରାମଚନ୍ଦ୍ରପୁର ଉଚ୍ଚବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ସରକାରୀ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକଙ୍କ ବାଇକ୍‌ ଗୁଡ଼ିକ ବିଦ୍ୟାଳୟ ସମ୍ମୁଖ ଥିଲା। ସାହାରପଡ଼ା ପଟୁ ଏକ କାର୍‌ (ଓଡି-୦୨-ବିଜି-୦୭୩୫) ଦ୍ରୁତଗତିରେ ଆସି ବାଇକ୍‌ ଗୁଡ଼ିକୁ ଧକ୍କା ଦେଇଥିଲା। ଫଳରେ ତିନିଟି ବାଇକ୍‌ ଭାଙ୍ଗିବା ସହ ବାଇକ୍‌ ଉପରେ ବସି ଥିବା ମୁକ୍ତାପୁର ଗ୍ରାମର ଜୟନ୍ତ ନାଏକ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କାର୍‌ଟିକୁ ଘେରି ଯାଇଥିଲେ। ଖବର ପାଇ ଜଣେ ବିଜେଡି ନେତା ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ବିଫଳ ହୋଇଥିଲେ। ପରେ ତୁରୁମୁଙ୍ଗା ପୁଲିସ ପହଞ୍ଚି କାର୍‌ଟିକୁ ଥାନାକୁ ନେଇଛି। ଏ ସମ୍ପର୍କରେ ଗୁରୁତର ଜୟନ୍ତଙ୍କ ସମ୍ପର୍କୀୟ ତୁରୁମୁଙ୍ଗା ଥାନାକୁ ଯାଇ ଏତଲା ଦେଇଥିଲେ। ମାତ୍ର ଥାନା ଅଧିକାରୀ ତାହାକୁ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଏନେଇ ତୁରୁମୁଙ୍ଗା ଥାନା ଆଇଆଇସି ଇନ୍ଦ୍ରଜିତ ବେହେରାଙ୍କୁ ପଚାରିବାରୁ, ତାଙ୍କ ପାଖକୁ ଏ ସମ୍ପର୍କରେ ଅଭିଯୋଗ ଆସି ନଥିବା କହିଛନ୍ତି।