ଆୟୁର୍ବେଦ ମହାବିଦ୍ୟାଳୟକୁ ସହକାରୀ ମାନ୍ୟତା ପାଇଁ ବିଚାର କରାଯିବ
ସମାବେଶରେ ଯୋଗଦେଲେ ୪୦ ହଜାରୁ ଊର୍ଧ୍ବ ମହିଳା
ନବୀନଙ୍କ ସହିତ ମଞ୍ଚରେ ବସିଲେ ୧୪ ଏସ୍ଏଚ୍ଜି ସଦସ୍ୟା
ବାରିପଦା ମଞ୍ଚରେ ନ ଥିଲେ କେହି ମନ୍ତ୍ରୀ କି ବିଧାୟକ। ମୁଖ୍ୟମନ୍ତ୍ରୀଙ୍କ ସହିତ ମଞ୍ଚରେ ବସିଥିଲେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ୧୪ଜଣ ସାଧାରଣ ମହିଳା, ଯେଉଁମାନେ ବଖାଣିଥିଲେ ସେମାନଙ୍କ ସଫଳତାର କାହାଣୀ। ଆଉ ନିର୍ବାଚନ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସେମାନଙ୍କ ପାଇଁ ତଥା ମୟୂରଭଞ୍ଜବାସୀଙ୍କ ପାଇଁ ହାତ ଖୋଲି ଦେଇଥିଲେ। ଜିଲ୍ଲାବାସୀଙ୍କୁ ଭେଟି ଦେଇଥିଲେ ପ୍ରାୟ ୧୫୦ କୋଟି ଟଙ୍କର ପ୍ରକଳ୍ପ। ସାମ୍ନାରେ ଉପସ୍ଥିତ ଥିଲେ ୪୦ ହଜାରରୁ ଊର୍ଧ୍ବ ମହିଳାଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଆର୍ଥିକ ସହାୟତାର ଘୋଷଣା କରି ମନ ଖୁସି କରି ଦେଇଥିଲେ। ଅବସର ଥିଲା ବାରିପଦାର ଐତିହାସିକ ଛଉ ପଡ଼ିଆରେ ମିସନ ଶକ୍ତିର ବିଶାଳ ମହିଳା ସମାବେଶ। ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଡ଼ିଆରୁ ଲକ୍ଷାଧିକ କର୍ମୀଙ୍କର ସମାବେଶକୁ ସମ୍ବୋଧନ କରିଥିଲେ। ଠିକ୍ ସେହି ସ୍ଥାନରୁ ନବୀନ ଏଭଳି ଏକ ବିଶାଳ ସମାବେଶର ଆୟୋଜନ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି।
ଆଜିର ସମାବେଶରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜବାସୀଙ୍କ ପାଇଁ ୧୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସାଙ୍ଗକୁ ଜିଲ୍ଲାବାସୀଙ୍କ ଦୀର୍ଘଦିନର ପ୍ରମୁଖ ୪ଟି ଦାବି ପୂରଣ କରିଥିଲେ। ବାରିପଦା ଅର୍ବାନ କୋପରେଟିଭ୍ ବ୍ୟାଙ୍କର ଶହଶହ ଜମାକାରୀ ପ୍ରାୟ ୭୧ କୋଟି ଟଙ୍କାର କଷ୍ଟଲବ୍ଧ ଜମାରାଶି ହରାଇଥିବାରୁ ଏ ନେଇ ଦୀର୍ଘଦିନ ହେଲା ଅସନ୍ତୋଷ ଓ ଆନ୍ଦୋଳନ ଲାଗି ରହିଥିଲା। ମାତ୍ର ଆଜି ସଭାରେ ବାରିପଦା ଅର୍ବାନ ବ୍ୟାଙ୍କ୍ର ପୁନରୁଦ୍ଧାର ନେଇ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି ପୁନର୍ବାର ବ୍ୟାଙ୍କିଙ୍ଗ ଲାଇସେନ୍ସ ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ବୋଲି ମଧ୍ୟ ପ୍ରକାଶ କରିଥିଲେ। ସେହିପରି ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସହରର ଚାରିପଟେ ଏକ ରିଂ ରୋଡ଼ (ଆଡ଼ିବନ୍ଧ) ନିର୍ମାଣ କରିବାକୁ ଦୀର୍ଘଦିନରୁ ଦାବି ରହିଥିଲା। ମୁଖ୍ୟମନ୍ତ୍ରୀ ଆଜି ଏ ନେଇ ବଡ଼ ଘୋଷଣା କରିବା ସହ ଅନ୍ୟ ସହରରେ ମଧ୍ୟ ଏଭଳି ଯୋଜନା କରାଯିବ ବୋଲି ସୂଚନା ଦେଇଥିଲେ। ଏହା ବ୍ୟତୀତ
ମୟୂରଭଞ୍ଜର ଛଉନୃତ୍ୟ ବିଶ୍ବରେ ଅନନ୍ୟ ହୋଇଥିବାରୁ ଏହାର ଅଧିକ ପ୍ରଚାରପ୍ରସାର ପାଇଁ ଏକ ଛଉନୃତ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି ମୟୂରଭଞ୍ଜ ଆୟୁର୍ବେଦ ମହାବିଦ୍ୟାଳୟକୁ ସହକାରୀ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ।
ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୧୧ଟି ପ୍ରକଳ୍ପର ଉଦ୍ଘାଟନ କରିଥିବାବେଳେ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ୨୦,୨୯୫ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ୧୫ହଜାର ଟଙ୍କା ଲେଖାଏଁ ସବ୍ସିଡି ସହାୟତା, ୨୬ଟି ବ୍ଲକ୍ ସ୍ତରୀୟ ମହାସଂଘ (ବିଏଲ୍ଏଫ୍) କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା, ଡିଜିଟାଲ ସଶକ୍ତୀକରଣ ପାଇଁ ୩୯,୪୧୮ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ୩ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାର ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ମୋଟ ୬୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ ଓ ପ୍ରଭାବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ୩ଲକ୍ଷ ଟଙ୍କାପର୍ଯ୍ୟନ୍ତ ବିନାସୁଧରେ ଋଣ ଦେବା ପାଇଁ ଘୋଷଣା କରିଥିଲେ। ଏହାଦ୍ବାରା ରାଜ୍ୟର ୬ଲକ୍ଷ ମହିଳା ଏସ୍ଏଚଜିର ୭୦ ଲକ୍ଷ ମହିଳା ଉପକୃତ ହେବେ। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ୍ସ୍ତରୀୟ ମହାସଂଘକୁ ୬କୋଟି ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଆଜି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ମଧ୍ୟରୁ ବିଷ୍ଣୁପ୍ରିୟା ଦାସ ଓ ଉମାରାଣୀ ଦତ୍ତ ମଞ୍ଚରେ ଭାଷଣ ଦେଇଥିଲେ। ଏହି ଦୁଇ ମହିଳାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପସ୍ଥିତ ମହିଳାମାନଙ୍କୁ ବେଶ୍ ପ୍ରଭାବିତ କରିଥିବା ଦେଖାଯାଇଥିଲା।
ଏହି ଅବସରରେ ମିସନ ଶକ୍ତି ନିର୍ଦ୍ଦେଶିକା ତଥା କମିସନର ସୁଜାତା କାର୍ତ୍ତିକେୟନ ସ୍ବାଗତ ଭାଷଣ ଦେଇ ମହିଳାମାନେ ଶକ୍ତି ସ୍ବରୂପା ଓ ସ୍ବାଭିମାନୀ ବୋଲି ମତ ରଖିଥିଲେ। ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ବିଧାୟକ ସୁଦାମ ମାର୍ଣ୍ଡି, ଗଣେଶ୍ବର ପାତ୍ର, ଭାଦବ ହାଁସଦା, ପ୍ରଣବ ବଳବନ୍ତରାୟ, ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏବଂ ଜିଲ୍ଲା ପ୍ରଶାସନର ବହୁଅଧିକାରୀ ମଞ୍ଚରେ ଉପସ୍ଥିତ ଥିଲେ। ଶେଷରେ ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ନିର୍ବାଚନ ବର୍ଷରେ ହାତ ଖୋଲିଦେଲେ ନବୀନ:ମୟୂରଭଞ୍ଜବାସୀଙ୍କ ଭେଟିଦେଲେ ୧୫୦ କୋଟିର ପ୍ରକଳ୍ପ
ପ୍ରତିଷ୍ଠା ହେବ ଛଉ ନୃତ୍ୟ ଗବେଷଣା କେନ୍ଦ୍ର : ବାରିପଦା ସହରକୁ ବନ୍ୟାଦାଉରୁ ରକ୍ଷା ପାଇଁ ରିଂ ରୋଡ଼ ନିର୍ମାଣ ହେବ
/sambad/media/post_attachments/wp-content/uploads/2019/01/MAYUR.jpg)