ଖିଚିଂ: ଶୁକୃଳି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷାକ ବଣ୍ଟନରେ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଆଜି ଶୁକୃଳି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ଦେଇଥିବା ଦେଖାଯାଇଛି।

Advertisment

ଅଭିଯୋଗ ଅନୁଯାଇ ଶୁକୃଳି ବ୍ଲକରେ ଥିବା ୧୧୯ଟି ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ପୋଷାକ ବଣ୍ଟନ କରିବା ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ଜୁଲାଇ ମାସରେ କୁହାଯାଇଥିଲା। ଏଥିରେ ଆଗ୍ରହୀ ଏସଏସଜି ମହିଳା ସଙ୍ଗଠନର ସଦସ୍ୟାମାନେ ଆବେଦନ କରିଥିଲେ। ମାତ୍ର ସ୍ଥାନୀୟ ଏସଏସଜି ମହିଳା ସଙ୍ଗଠନମାନଙ୍କୁ ଅଣଦେଖା କରାଯାଇ ଅନ୍ୟ ଅଞ୍ଚଳର ବ୍ୟବସାୟୀମାନଙ୍କୁ ଦିଆ ଯିବାକୁ ପ୍ରଶାସନ ଉଦ୍ୟମ କରୁଥିବା ନେଇ ଏସଏସଜି ଗ୍ରୁପର ମହିଳାମାନେ ଜାଣିବାକୁ ପାଇଥିଲେ।

ଏନେଇ ସେମାନେ ବହୁବାର ଶୁକୃଳି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନତାରା ମହାନ୍ତ ଓ ଶୁକୃଳି ବିଡିଓଙ୍କୁ ଭେଟି ସମାଧାନ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର ଶୁକୃଳି ବିଡିଓ ବ୍ରହ୍ମାନନ୍ଦ ବେହେରା ସେମାନଙ୍କୁ ଉପେକ୍ଷା କରିବା ସହ ଶୃଙ୍ଖଳିତ ବ୍ୟବହାର କରିନଥିବା ନେଇ ମା ସୁଭଦ୍ରା ଏସଏସଜି ଗ୍ରୁପର ସମ୍ପାଦକ ସୁଲୋଚନା ବେହେରା ପ୍ରକାଶ କରିଛନ୍ତି। ପୋଷାକ ବଣ୍ଟନରେ ଅନିୟମିତତା କରାଯାଉଥିବା ନେଇ  ଶୁକୃଳି ବ୍ଲକର ମା ଶାରଳା, ମା ସୁଭଦ୍ରା, ମା ମଙ୍ଗଳା, ମା ଲକ୍ଷ୍ମୀ, ମା ବାସୁଳି ଆଦି ସମେତ ଅନ୍ୟାନ୍ୟ ଏସଏସଜି ଗ୍ରୁପର ମହିଳା ମାନେ ଆଜି ଏକତ୍ରିତ ହୋଇ ଶୁକୃଳି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚି ତାଲା ପକାଇ ଦେଇଛନ୍ତି।

ଏହାର ସମାଧାନ ନହେଲେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ନେଇ ଏସଏସଜି ଗ୍ରୁପର ମହିଳାମାନେ ପ୍ରକାଶ କରିଛନ୍ତି। ଏନେଇ ଦାୟିତ୍ୱରେ ଥିବା ଶୁକୃଳି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନତାରା ମହାନ୍ତ ଓ ଶୁକୃଳି ବିଡିଓ ବ୍ରହ୍ମାନନ୍ଦ ବେହେରାଙ୍କୁ ଯୋଗାଯୋଗ କରାଯାଇ ଥିଲେ ସୁଦ୍ଧା କୌଣସି ଉତ୍ତର ମିଳି ପାରିନାହିଁ।