ଜିଏସ୍‌ଟି ସ୍କାନର୍‌ରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟ, ୫୦ଲକ୍ଷରୁ ଊର୍ଧ୍ବ ଜିଏସ୍‌ଟି ଠକେଇ ହୋଇଥିବା ଅଭିଯୋଗ

୬୬ ଠିକାଦାର ଓ ୭ ଯନ୍ତ୍ରୀଙ୍କ ବୟାନ ରେକର୍ଡ

ବାରିପଦା : ବାରିପଦା ଆଇଟିଡିଏ କାର୍ୟ୍ୟାଳୟରେ ଜିଏସ୍‌ଟି ଠକେଇକୁ ନେଇ ଚାଲିଥିବା ପ୍ରକ୍ରିୟା ଆଜି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଆଜି ଏନେଇ ‘ସମ୍ବାଦ’ରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପରେ ବାରିପଦା ଆଇଟିଡିଏ କାର୍ୟ୍ୟାଳୟରେ ତନାଘନା ହୋଇଛି। ଏକାଧିକ ଠିକାଦାର ଆଇଟିଡିଏ ପିଏଙ୍କୁ ଭେଟି ଏହି ଘଟଣାର ସମାଧାନ କରିବାକୁ କହିଛନ୍ତି। ଯେହେତୁ ସରକାରୀ କାମରେ ସେମାନଙ୍କର କିଛି ଜିଏସ୍‌ଟି ସମ୍ପର୍କିତ ତଥ୍ୟ ହାସଲ କରିବାର ନାହିଁ, ତେଣୁ କିପରି ଏହି ସମସ୍ୟା ଉପୁଜିଲା ସେନେଇ ଦୃଷ୍ଟିଦେବାକୁ ଠିକାଦାରମାନେ କହିଛନ୍ତି। ତେବେ ଏହି ଘଟଣାରେ ୬୬ଜଣ ଠିକାଦାର ଏବଂ ଏଠାରେ କାର୍ୟ୍ୟ କରୁଥିବା ୭ ଯନ୍ତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି। ପ୍ରାୟ ୫୦ଲକ୍ଷରୁ ଊର୍ଧ୍ବ ଜିଏସ୍‌ଟି ଠକେଇ ହୋଇଥିବା ବାରିପଦା ସିଟି ଏବଂ ଜିଏସଟି, ଏନ୍‌ଫୋର୍ସମେଣ୍ଟ୍‌ ୟୁନିଟ୍‌ ମୁଖ୍ୟ ରଜନୀକାନ୍ତ ସେଠ୍‌ ସୂଚନା ଦେଇଛନ୍ତି । ପ୍ରାୟ ୩କୋଟିରୁ ଊର୍ଧ୍ବ ମୂଲ୍ୟର କାମରେ ଏପରି ଠକେଇ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଜିଏସ୍‌ଟି ବିଭାଗ ତଦନ୍ତ ଜାରି ରଖିଛି। ଠକେଇ ହୋଇଥିବା ଜିଏସ୍‌ଟି ଅର୍ଥକୁ ପେନାଲ୍‌ଟି ସହିତ ସରକାରୀ ତହବିଲକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଥିବା ଶ୍ରୀ ସେଠ୍‌ ସୂଚନା ଦେଇଛନ୍ତି। ଏହାକୁ ନେଇ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଅସାଧୁ ମେଣ୍ଟକୁ ଶକ୍ତ ଝଟ୍‌କା ଲାଗିଛି। କାରଣ ଜିଏସ୍‌ଟି ବିଭାଗ ଅନୁଯାୟୀ ତଞ୍ଚକତା କରାଯାଇଥିବା ପ୍ରାୟ ୫୦ଲକ୍ଷରୁ ଊର୍ଧ୍ବ ଟଙ୍କା କିଏ ଫେରାଇବ। ସେନେଇ ଏକପ୍ରକାର ଭାଳେଣି ପଡ଼ିଯାଇଛି। ମାତ୍ର ଏହି ମାମଲାରେ ଅଧିକ ତଦନ୍ତ ଦାବି ହୋଇଛି। କାରଣ ବାରିପଦା ଆଇଟିଡିଏ କାର୍ୟ୍ୟାଳୟରେ ଆହୁରି ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟଯେ ୨୦୧୭ ଜୁଲାଇ ପହିଲାରୁ ୫ ଅଗଷ୍ଟ ୨୦୨୦ ପର୍ୟ୍ୟନ୍ତ ବାରିପଦା ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା(ଆଇଟିଡିଏ) କାର୍ୟ୍ୟାଳୟରେ ଅଢ଼େଇ ଲକ୍ଷରୁ ଊର୍ଧ୍ବ ମୂଲ୍ୟର ହୋଇଥିବା ସମସ୍ତ କାର୍ୟ୍ୟ ସଂକ୍ରାନ୍ତରେ ସବିଶେଷ ତଥ୍ୟ ମାଗିଛନ୍ତି ବାରିପଦା ସିଟି ଏବଂ ଜିଏସଟି, ଏନ୍‌ଫୋର୍ସମେଣ୍ଟ୍‌ ୟୁନିଟ୍‌। ଉପରୋକ୍ତ ସମୟ ସୀମା ମଧ୍ୟରେ ଧାର୍ୟ୍ୟ ମୂଲ୍ୟର କାର୍ୟ୍ୟଗୁଡ଼ିକୁ ନେଇ ଦାଖଲ କରାଯାଇଥିବା ଜିଏସ୍‌ଟି ଏବଂ ଟିଡିଏସ୍‌ କଟାଯିବାକୁ ନେଇ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ଏହି ଘଟଣାକୁ ନେଇ ବାରିପଦା ଆଇଟିଡିଏ କାର୍ୟ୍ୟାଳୟର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ, ଲମ୍ବୋଦର ମାଝୀ, ସୁରେଇ ମୁର୍ମୁ, କନିଷ୍ଠ ଯନ୍ତ୍ରୀ ସନ୍ଦିପ କୁମାର ପାତ୍ର, ପିତାମ୍ବର ରାୟବାବୁ, ବର୍ତ୍ତମାନ କପ୍ତିପଦା ଆଇଟିଡିଏରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ୟ୍ୟରତ ତଥା ପୂର୍ବତନ କନିଷ୍ଠ ଯନ୍ତ୍ରୀ ବାରିପଦା କମଳଲୋଚନ ଟୁଡୁ ଏବଂ ପୂର୍ବତନ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କଠାରୁ ବୟାନ ରେକର୍ଡ କରାଯାଇଥିବା ବାରିପଦା ସିଟି ଏବଂ ଜିଏସ୍‌ଟି, ଏନ୍‌ଫୋର୍ସମେଣ୍ଟ୍‌ ୟୁନିଟ୍‌ ଅଧିକାରୀ ଆର କେ ସେଠ୍‌ ସୂଚନା ଦେଇଛନ୍ତି। ଏହି ଘଟଣାରେ ପ୍ରାୟ ୬୬ଜଣ ଠିକାଦାରଙ୍କଠାରୁ ମଧ୍ୟ ତଥ୍ୟ ମଗାଯାଇଛି। ବିଭିନ୍ନ କାର୍ୟ୍ୟ ନିମନ୍ତେ ସାମଗ୍ରୀ ଯୋଗାଇଥିବା କିଛି ସଂସ୍ଥାକୁ ମଧ୍ୟ ସମନ ଜାରି କରାଯାଇଥିବା ଜଣାପଡ଼ିଛି। ବାରିପଦା ଆଇଟିଡିଏ କାର୍ୟ୍ୟାଳୟରେ ମିଥ୍ୟା ଭାଉଚର ଛାପି ଆଦିବାସୀଙ୍କ କଲ୍ୟାଣ ପାଇଁ ଆସିଥିବା ଅର୍ଥ ହଡପ ହେଉଥିବା ଅଭିଯୋଗ ହେବା ପରେ ଜିଏସ୍‌ଟି ବିଭାଗ ପକ୍ଷରୁ ଏପରି ପ୍ରକ୍ରିୟା ଆରମ୍ଭ ‌କରାଯାଇଛି। ଗତବର୍ଷ ଜୁଲାଇ ମାସରେ ଏହି କାର୍ୟ୍ୟାଳୟରେ ଏପରି ଦୁର୍ନୀତି ହେଉଥିବା ଜନୈକ ଠିକାଦାର ତପନ କୁମାର ହାବଡ଼ା ଅଭିଯୋଗ କରିଥିଲେ। ତାଙ୍କ ଅଗଚୋରରେ ମିଥ୍ୟା ଦସ୍ତଖତ ମାଧ୍ୟମରେ ଏକ ସରକାରୀ କାମରୁ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ସେ ଅଭିଯୋଗ କରିଥିଲେ। ପୁଲିସରେ ଜଣାଇବା ସହ ଜିଲ୍ଲାପାଳ ତଥା ଅନ୍ୟ ଉପରିସ୍ଥ ଅଧିକାରୀମାନଙ୍କୁ ଏହି ମାମଲା ସମ୍ପର୍କରେ ଅବଗତ କରିଥିଲେ। ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ଠିକାଦାରଙ୍କ ବିଲ୍‌ଗୁଡ଼ିକୁ ବ୍ୟବହାର କରାଯାଇ ବାରିପଦା ଆଇଟିଡିଏର ଯନ୍ତ୍ରୀମାନେ ଟଙ୍କା ଉଠାଇଛନ୍ତି। ମାତ୍ର ଏସମ୍ପର୍କରେ ଠିକାଦାରଙ୍କ ପାଖରେ ଆଦୌ ତଥ୍ୟ ନଥିବା ପ୍ରକାଶ।

 

ସମ୍ବନ୍ଧିତ ଖବର