ଚଳିତ ବର୍ଷ ଡିସେମ୍ବରରେ ଶେଷ ହୋଇପାରେ ଜମ୍ଭୀରା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ବାରିପଦାବାସୀଙ୍କ ପାଇଁ ବହୁପ୍ରତୀକ୍ଷିତ ପ୍ରକଳ୍ପ

ବାରିପଦା : ବାରିପଦାବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ନିମନ୍ତେ ହୋଇଥିବା ବହୁପ୍ରତୀକ୍ଷିତ ଜମ୍ଭୀରା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ୨୦୨୧ ଡିସେମ୍ବର ମାସ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି । ଆସନ୍ତା ବର୍ଷ ଆରମ୍ଭରୁ ବାରିପଦାବାସୀଙ୍କ ପାଇଁ ଏହି ପ୍ରକଳ୍ପ ଜରିଆରେ ପାନୀୟ ଜଳ ଯୋଗାଣ ହୋଇପାରେ। ଏପରି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ବିଘ୍ନେଶ୍ୱର ପାଣି।

ଜମ୍ଭୀରା ନଦୀ ବନ୍ଧ ନିର୍ମାଣ ସମୟରେ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ ୧୧ଟି ରାଜସ୍ୱ ଗ୍ରାମରେ ରହିଥିବା ପ୍ରାୟ ୧୩୦୪ ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ମିଳିପାରି ନଥିବାରୁ ଏହି ପ୍ରକଳ୍ପ ନିର୍ମାଣକୁ ବିରୋଧ କରାଯାଇଥିଲା। ତେବେ ଗତମାସରେ ସମସ୍ୟାର ସମାଧାନ ହୋଇଛି। ପୁନର୍ବାର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଯାହାକି ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛିବୋଲି ମୁଖ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ପାଣି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜମ୍ଭୀରାରୁ ପାଣି ଆସି ପ୍ରଥମେ ରଘୁନାଥପୁରଠାରେ ମୁଖ୍ୟ ଟାଙ୍କିରେ ଷ୍ଟୋର ହେବ । ସେଠାରୁ ଫିଲ୍‌ଟର ଓ ରିସାଇକ୍ଲିଙ୍ଗ୍‌ ହୋଇ ଷ୍ଟେସନ ବଜାର, ବେଲଗଡ଼ିଆ, ତକତପୁର ଆଇଟିଆଇ ନିକଟ, ମଇଳାଖାଦାନ ଓ ଦାରୋଗାଡ଼ାହିଠାରେ ସବ-ଷ୍ଟୋରେଜ୍‌ ସେଣ୍ଟର ହୋଇ ରହିବ। ସେଠାରୁ ଟାଙ୍କି ମାଧ୍ୟମରେ ଜନସାଧାରଣଙ୍କୁ ପାଇପ ଯୋଗେ ଯୋଗାଇ ଦିଆଯିବ । ପ୍ରକାଶଥାଉକି, ବାରିପଦା ସହରକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଇବ ଜମ୍ଭୀରା ପ୍ରକଳ୍ପ । ୨୦୦୯ ବାରିପଦା ପୌର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରବାସୀଙ୍କ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଏହି ପ୍ରକଳ୍ପ ନେଇ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଘୋଷଣା କରିଥିଲେ ମଧ୍ୟ ବିଭିନ୍ନ ସମୟରେ ଏହାର ଅଗ୍ରଗତି ନେଇ ସମସ୍ୟା ଦେଖାଦେଇଛି। ପ୍ରଥମେ ଉକ୍ତ ପ୍ରକଳ୍ପ ନିର୍ମାଣ ନିମନ୍ତେ ୬୩ କୋଟି ଟଙ୍କାର ଟେଣ୍ଡର ଡ଼କା ଯାଇଥିଲା । କିନ୍ତୁ ଟେଣ୍ଡର ପ୍ରକ୍ରିୟା ସଫଳ ହୋଇ ନପାରିବାରୁ ୨୦୧୬ ଜୁଲାଇ ୧୮ରେ ପୁଣି ଥରେ ପ୍ରକଳ୍ପ ନିର୍ମାଣ ନିମନ୍ତେ ନୂତନ ଭାବେ ପ୍ଲାନ ଏଷ୍ଟିମେଟ୍‌ ପ୍ରସ୍ତୁତ କରାଯାଇଥିଲା। ଏଥର ପ୍ରକଳ୍ପ ନିର୍ମାଣ ମୋଟ ବ୍ୟୟ ଅଟକଳା ୮୪କୋଟି ଟଙ୍କା ଛୁଇଁଥିଲା । କେବଳ ଜମ୍ଭୀରା ପ୍ରକଳ୍ପ ମିର୍ମାଣ ମିମନ୍ତେ ଠିକା କମ୍ପାନୀଗୁଡ଼ିକ ବିଶେଷ ଭାବେ ଆଗ୍ରହୀ ହେଉ ନ ଥିବାରୁ ରାଜ୍ୟ ସରକାର ଜମ୍ଭୀରା ସହିତ ଝାରସୁଗୁଡ଼ା, ରାଉରକେଲା ଓ ସମ୍ବଲପୁର ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମିଶାଇ ମୋଟ ୨୬୧.୬ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରିଥିଲେ । ଫଳରେ ବିଭିନ୍ନ ରାଜ୍ୟରୁ ନାମୀଦାମୀ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ୨୦୧୭ ମେ ୨୫ରେ ହାଇଦ୍ରାବାଦର ଏମଇଆଇଏଲ କମ୍ପାନୀକୁ ଏହାର ନିର୍ମାଣ କାର୍ଯ୍ୟ ଠିକା ଦିଆଯାଇଥିଲା। ଉପରୋକ୍ତ ୪ଗୋଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମନ୍ତେ ହାଇଦ୍ରାବାଦର ଠିକା କମ୍ପାନୀ ସହିତ ବିଭାଗର ଆଲୋଚନା ଶେଷ ହୋଇ ଏକ ଏକ୍ସନ ପ୍ଲାନ ପ୍ରସ୍ତୁତ ହୋଇ ରାଜ୍ୟ ସରକାରଙ୍କ ନିକଟରୁ ପ୍ଲାନ ଆପ୍ରୋଭ ହୋଇ ଆସିବା ପରେ ଜମ୍ଭୀରା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧୯ରେ ଆରମ୍ଭ ହୋଇଥିଲା। ଯାହାକି ଘୋଷଣାର ପ୍ରାୟ ୧୦ ବର୍ଷ ବିଳମ୍ବିତ ହୋଇଥିଲା। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୦ ଡିସେମ୍ବର ସୁଦ୍ଧା ଶେଷ ହେବା ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଥିଲା।  ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମାପ୍ତିର ଅବଧି ୩ ବର୍ଷ ରହିଥିଲା। ଏହା କାର୍ଯ୍ୟକ୍ଷମ ହେଲେ ବାରିପଦା ସହରବାସୀଙ୍କୁ ୨୪ ଘଣ୍ଟିଆ ପାନୀୟ ଜଳ ଉପଲବ୍ଧ ହୋଇ ପାରିବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର