ଅଜଣା ମହିଳାଙ୍କ ମୃତଦେହ ମିଳିବା ଘଟଣା: ମୃତକ ହେଉଛନ୍ତି ମୁରଶୀଦାବାଦର ଚୁମକି ଖାତୁନ

ଦ୍ଵିତୀୟ ବିବାହ ପାଇଁ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ, ବାରଣ କରିବାକୁ ଆସି ପ୍ରାଣଗଲା

ବାରିପଦା: ଚଳିତ ମାସ ୫ ତାରିଖରେ ମୟୂରଭଂଜ ଜିଲ୍ଲା ବେତନଟୀ ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର କେନ୍ଦୁଖାଳ ପୋଲ ନିକଟସ୍ଥ କଲଭର୍ଟ ନିକଟରୁ ଜଣେ ଅପରିଚିତ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ତେବେ ଉକ୍ତ ଅପରିଚିତ ମୃତ ମହିଳାଙ୍କ ପରିଚୟ ମିଳିଛି। ମୃତକ ଜଣଙ୍କ ହେଉଛନ୍ତି ପଶିମବଙ୍ଗ ରାଜ୍ୟ ମୁରଶୀଦାବାଦ ଜିଲ୍ଲା ସାଗରଦ୍ବୀପ ଥାନା ଅନ୍ତର୍ଗତ ସୁକି ଗ୍ରାମର  କାଞ୍ଜୁ ଶେଖଙ୍କ ଝିଅ ଚୁମକି ଖାତୁନ। ତାଙ୍କୁ ତାଙ୍କ ସ୍ୱାମୀ ସମ୍ରାଟ ଶେଖ ହତ୍ୟା କରିଥିବା ପରିବାର ଲୋକ ବେତନଟୀ ଥାନାରେ ଅଭିଯୋଗ କରିଛନ୍ତି।

ସମାନ ଥାନା ଅଞ୍ଚଳର ଅଭିଯୁକ୍ତ ସ୍ୱାମୀ ସମ୍ରାଟର ଘର ହେଉଛି ଚଢ଼େୟା ଗ୍ରାମ। ଅଭିଯୁକ୍ତ ଜଣଙ୍କ ବାରିପଦାରେ ରହି ରାଜମିସ୍ତ୍ରୀ କାମ କରେ। ସେ ଏଠାରେ ଆଉ ଏକ ବିବାହ କରିବାକୁ ସ୍ଥିର କରିଥିବା ଖବର ପାଇ ମୃତ ଚୁମକୀ ବାରିପଦା ଆସି ନିଜ ସ୍ୱାମୀଙ୍କୁ ବୁଝାସୁଝା କରିଥିଲେ । ମାତ୍ର କିଏ ଜାଣିଥିଲା ସ୍ୱାମୀଙ୍କୁ ଦ୍ଵିତୀୟ ବିବାହରୁ ବାରଣ କରିବାକୁ ଆସି ତାଙ୍କର ପ୍ରାଣ ଯିବ ବୋଲି।

ଘଟଣା ପୂର୍ବ ରାତିରେ ଏହି ପ୍ରସଙ୍ଗ କୁ ନେଇ ମୃତ ଚୁମକୀ ଏବଂ ଅଭିଯୁକ୍ତ ସମ୍ରାଟ ମଧ୍ୟରେ ପାତିଗୋଳ ହୋଇଥିଲା। ଉତ୍ତ୍ୟକ୍ତ ସମ୍ରାଟ କୌଣସି ଏକ ଓଜନିଆ ବସ୍ତୁରେ ଚୁମକୀଙ୍କୁ ଆକ୍ରମଣ କରିଥିଲେ। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସମ୍ରାଟ ନିଜର କିଛି ବନ୍ଧୁଙ୍କ ସହାୟତାରେ ବାରିପଦାରୁ ଚୁମକୀ ଙ୍କ ମେଟଦେହକୁ ଆଣି ଶବ ମିଳିଥିବା ସ୍ଥାନରେ ଫୋପାଡ଼ିଦେଇ ଚାଲିଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ପ୍ରଥମ ପତ୍ନୀ ଚୁମକୀଙ୍କୁ ବାଟରୁ ସଫା କଲେ ହିଁ ଦ୍ଵିତୀୟ ବିବାହ ହୋଇପାରିବ ଚିନ୍ତା କରି ହତ୍ୟା କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ୟୁଟ୍ୟୁବରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର ଖବରରେ ତାଙ୍କ ଭଉଣୀଙ୍କ ଫଟୋ ଦେଖି ପୁଲିସ ସହିତ ଯୋଗାଯୋଗ କରିଥିଲେ ମୃତ ମହିଳାଙ୍କ ପରିବାରଲୋକ। ଆଜି ସେମାନେ ବାରିପଦା ଆସି ମୃତକଙ୍କ ଶରୀର ମୁରଶୀଦାବାଦ ନେଇଛନ୍ତି। ଏନେଇ ପୂର୍ବରୁ ବେତନଟୀ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ମୃତକଙ୍କ ସ୍ୱାମୀ ସମ୍ରାଟକୁ ଯୋଡ଼ାଯାଇଛି। ଅଭିଯୁକ୍ତ ଜଣଙ୍କ ହତ୍ୟାକାଣ୍ଡ ପରେ ନିଜ ଗାଁକୁ ଚାଲିଯାଇଥିଲା। ଏବେ ସେ ଫେରାର ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର