ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ବାରିପଦା : ଆଜି ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (୧) ଅଜିତ କୁମାର ସିଂହ ଏକ ନରହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ କରିବା ସହିତ ୧୫ ହଜାର ଟଙ୍କା ଜେରିମାନା ଶୁଣାଣି କରିଛନ୍ତି। ଜୋରିମାନା ଅନାଦେୟ ରହିଲେ ଆସାମୀକୁ ଅଧିକ ବର୍ଷେ ଜେଲ୍‌ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ତେବେ ଏହି ହତ୍ୟା ମାମଲାରେ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।

ଘଟଣାରୁ ପ୍ରକାଶ, ଗତ ୨୦୧୨ ମସିହା ଏପ୍ରିଲ ୨୮ ତାରିଖ ଦିନ ୪ଟା ସମୟରେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ହିଞ୍ଜିଡ଼ି ଗ୍ରାମର ସଂଜିତ କୁମାର ଗିରିଙ୍କ ବଡ଼ବାପାଙ୍କ ପୁଅ ସମୀର ଗିରି ନିଜ ସାଙ୍ଗ ବରୁଣ ଗିରି, ବିଶ୍ୱରଂଜନ ମହାପାତ୍ର ଏବଂ ପ୍ରବୀଣ ବେହେରାଙ୍କ ସହିତ ଅଁଳାଗୁଂଜା ନିକଟ ବୁଢ଼ାବଳଙ୍ଗ ନଦୀ ଆଡ଼କୁ ବୁଲି ଯାଇଥିଲେ। ତେବେ ସମସ୍ତେ ଘରକୁ ଫେରିଆସିଥିବା ବେଳେ ସମୀର ଗିରି ଆଉ ଘରକୁ ଫେରିନଥିଲା। ଏନେଇ ସଂଜିତ କୁମାର ଗିରି ବରୁଣ ଗିରିକୁ ପଚାରିବାରୁ ତାଙ୍କ ସହିତ ସମୀର ଯାଇନଥିଲା ବୋଲି ବରୁଣ କହିଥିଲା।

ବହୁ ଖୋଜାଖୋଜି ପରେ ବୁଢ଼ାବଳଙ୍ଗ ନଦୀ କୂଳରୁ ସଂଜିତର କ୍ଷତାକ୍ତ ମୃତଦେହ ମିଳିଥିଲା। ତା’ର ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହେଉଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ସଂଜିତ କୁମାର ଗିରି ବରୁଣ ଗିରି, ବିଶ୍ୱରଂଜନ ମହାପାତ୍ର ଏବଂ ପ୍ରବୀଣ ବେହେରାଙ୍କ ନାମରେ ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା (୪୯/୨୦୧୨) ରୁଜୁହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ସାମାନ୍ୟ ବଚସାରୁ ଉତ୍‌କ୍ଷିପ୍ତ ହୋଇ ବରୁଣ ଗିରି ସମୀରଙ୍କୁ ହତ୍ୟା କରିଥିଲା ବୋଲି ପ୍ରମାଣିତ ହୋଇଥିଲା।

ଆଜି ଏହି ମାମଲାର ବିଚାର କରାଯାଇ ବରୁଣକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ପ୍ରମାଣ ଅଭାବରୁ ଅନ୍ୟ ଦୁଇଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହି ମାମଲାରେ ୨୮ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ମାମଲାଟିକୁ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର