କରୋନା କାରଣରୁ ଚଳିତ ବର୍ଷ ମଧ୍ୟ ହେବନାହିଁ ଚୈତ୍ର ପର୍ବ, ବ୍ରହ୍ମପୁରରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି, ଲୋକଙ୍କ ଅସନ୍ତୋଷ

ନିଷ୍ପତ୍ତିର ପୁର୍ନବିଚାର କରିବାକୁ ଦାବି

ବାରିପଦା : ଦକ୍ଷିଣ ଓଡ଼ିଶା ତଥା ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଳନ ନିମନ୍ତେ ୭ ଦିନିଆ ଅନୁମତି ମିଳିଛି। ଏହାପରେ ମୟୂରଭଞ୍ଜରେ ପ୍ରସିଦ୍ଧ ଚୈତ୍ର ପର୍ବ ପାଳନ ନେଇ ଜିଲ୍ଲା ପ୍ରଶାସନ ପୁନର୍ବାର ଚିନ୍ତା କରିବାକୁ ଦାବି କରିଛନ୍ତି ଅଗଣିତ ଛଉ ପ୍ରେମୀ। ଉଲ୍ଲେଖଯୋଗ୍ୟଯେ କରୋନା କାରଣରୁ ଚଳିତ ବର୍ଷ ବାରିପଦାରେ ମୟୂରଭଞ୍ଜବାସୀଙ୍କ ଶ୍ରଦ୍ଧାର ପର୍ବ ଚୈତ୍ର ପର୍ବ ପାଳନ ନହେବା ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ନି‌ର୍ଦ୍ଦେଶାନାମା ଜାରି କରାଯାଇସାରିଛି। ପରମ୍ପରା ମୁତାବକ ମହାବିଷୁବ ସଂକ୍ରାନ୍ତିର ୩ଦିନ ପୂର୍ବରୁ ବାରିପଦାର ଐତିହାସିକ ଛଉ ପଡ଼ିଆରେ ଆରମ୍ଭ ‌ହୁଏ ବହୁପ୍ରତିକ୍ଷୀତ ଚୈତ୍ର ପର୍ବ। ଗତବର୍ଷ ମଧ୍ୟ କରୋନା ମହାମାରୀ କାରଣରୁ ଏହି ପର୍ବକୁ ବନ୍ଦ ରଖାଯାଇଥିଲା। ଆଶା କରାଯାଉଥିଲା କରୋନାର ପ୍ରକୋପ କମ ହେବା ପରେ ୨୦୨୧ରେ ବୋଧହୁଏ ଚୈତ୍ର ପର୍ବ ନିମନ୍ତେ ଅନୁମତି ମିଳିବ। ମାତ୍ର କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଅଗଣିତ ଛଉପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଛି। ଚଳିତ ମାସ ପହିଲାରେ ଏହି ପର୍ବ ପାଳନ ନେଇ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଚୈତ୍ର ପର୍ବ ପାଳନକୁ ବାରଣ କରାଯାଇଛି। କେବଳ ପରମ୍ପରା ବଜାୟ ରଖିବାକୁ ରୀତି ନୀତି ଅନୁସାରେ ଭକ୍ତ ପର୍ବ ଆୟୋଜନ ନେଇ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ନିଷ୍ପତିର ପୁର୍ନବିଚାର କରିବାକୁ ଦାବି କରିଛନ୍ତି ବିଭିନ୍ନ ସାହିର ଛଉ ସଂଗଠନ।

୨୦୧୯ ମସିହାର ସାଧାରଣ ନିର୍ବାଚନ ଆଚରଣବିଧି କଟକଣା ସତ୍ତ୍ବେ ଉତ୍ତର ଓ ଦକ୍ଷିଣ ସାହିର ପ୍ରଚେଷ୍ଟାକ୍ରମ‌େ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଚୈତ୍ର ପର୍ବ ପାଳନ ହୋଇଥିଲା। ଗତବର୍ଷ କରୋନାର ପ୍ରାବଲ୍ୟ କାରଣରୁ ପ୍ରଶାସନ ଏହାକୁ ବନ୍ଦ ରଖିଥିଲା। ଯାହାକୁ ସମସ୍ତେ ମାନିଥିଲେ। ମାତ୍ର ଚଳିତ ବର୍ଷ କରୋନାରେ ସୁଧାର ଆସିଛି। ଏପରିକି ବ୍ରହ୍ମପୁରରେ ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ପ୍ରଶାସନ ଅନୁମତି ଦେଇଛି। ତେଣୁ କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଚୈତ୍ର ପର୍ବକୁ ପାଳନ କରିବା ଉପରେ ପ୍ରଶାସନ ଚିନ୍ତା କରିବା ଉଚିତ୍‌।

ଉତ୍ତର ସାହି ଛଉ ନୃତ୍ୟ ପ୍ରତିଷ୍ଠାନ ସମ୍ପାଦକ ସୁଧୀର କୁମାର ନାୟକ

ଚୈତ୍ର ପର୍ବ ହେଉଛି ମୟୂରଭଞ୍ଜବାସୀଙ୍କ ସ୍ବାଭିମାନର ପ୍ରଶ୍ନ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରମ୍ପରାଗତ ଯାତ୍ରା ପାଇଁ ଅନୁମତି ମିଳୁଛି। ତେଣୁ ବାରିପଦାରେ ମଧ୍ୟ କରୋନା କଟକଣା ମଧ୍ୟରେ ଚୈତ୍ର ପର୍ବ ପାଳନ ହେଉ। ପୂର୍ବରୁ ଚଳିତ ବର୍ଷ ଚୈତ୍ର ପର୍ବ ପାଳନ ନକରିବା ନେଇ ଜିଲ୍ଲାପ୍ରଶାସନ ନେଇଥିବା ନିଷ୍ପତିର ପୁର୍ନବିଚାର ହେଉ।

କାର୍ତ୍ତିକେଶ୍ବର ରଣା, ସମ୍ପାଦକ, ଦକ୍ଷିଣ ସାହି ଛଉନୃତ୍ୟ ମନ୍ଦିର

ବିଭିନ୍ନ ଜିଲ୍ଲାରେ ପରମ୍ପରାଗତ ପର୍ବ ପାଳନ ନେଇ ସରକାର ଅନୁମତି ଦେଉଛନ୍ତି। ମାତ୍ର ମୟୂରଭଞ୍ଜ ବେଳକୁ ସବୁ ନା। ଚୈତ୍ର ପର୍ବ ମୟୂରଭଞ୍ଜବାସୀଙ୍କ ପାଇଁ ଗୌରବର ବିଷୟ। ଗତବର୍ଷ କରୋନା କାରଣରୁ ଏହାକୁ ବନ୍ଦ ରଖାଯାଇଥିଲା। ଯାହାକୁ ସମସ୍ତେ ସ୍ବାଗତ କରିଥିଲେ। ମାତ୍ର ଚଳିତ ବର୍ଷ ମଧ୍ୟ ଏହି ପର୍ବକୁ ପାଳନ କରିବାକୁ ଜିଲ୍ଲାପ୍ରଶାସନ ବାରଣ କରିଛି। ଯାହାକି ଅଗଣିତ ଛଉ ପ୍ରେମୀଙ୍କୁ ଆଘାତ ଦେଇଛି। ଏହାର ପୁର୍ନବିଚାର କରି କରୋନା କଟକଣା ମଧ୍ୟରେ ଚୈତ୍ର ପର୍ବ ପାଳନ ହେଉ।

କଳିଙ୍ଗକେଶରୀ ଜେନା, ସଭାପତି, ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ

ସମ୍ବନ୍ଧିତ ଖବର