ଏସ୍‌ବିଆଇ ଜମା ଖାତାରୁ ଲକ୍ଷାଧିକ ଟଙ୍କା ଉଭାନ, ପ୍ରତିବାଦରେ ଜମାକାରୀଙ୍କ ବ୍ୟାଙ୍କ ଘେରଉ

ରାଇରଙ୍ଗପୁର: ଚିଟ୍‌ଫଣ୍ଡ ଦୁର୍ନୀତି ପରେ ମୟୂରଭଞ୍ଜ ଜିଲ୍ଲାରେ ଏବେ ବ୍ୟାଙ୍କ ମହାଦୁର୍ନୀତି ପଦାକୁ ଆସିଛି। ବ୍ୟାଙ୍କ ଜମାକାରୀଙ୍କ ପାସ୍‌ବୁକ୍‌ରୁ ଲକ୍ଷାଧିକ ଟଙ୍କା ଉଭାନ ହୋଇଯାଇଛି। କୁସୁମୀ ବ୍ଲକ ଅନ୍ତର୍ଗତ କୁଲଡିହା ଷ୍ଟେଟ୍‌ ବ୍ୟାଙ୍କର ଜମାକାରୀଙ୍କ ଅଗୋଚରରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଛି। ଏନେଇ ପୁଲିସ୍‌ ଓ ପ୍ରଶାସନ ନିକଟରେ ଅଭିଯୋଗ କରି କିଛି ସୁଫଳ ନମିଳିବାରୁ ଆଜି ଜମାକାରୀମାନେ ବ୍ୟାଙ୍କ ଘେରଉ କରିଥିଲେ।

ଅଭିଯୋଗ ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଉକାମ ଗ୍ରାମର ସୁନାରାମ ମାଝୀଙ୍କ କୁଲଡିହା ଏସ୍‌ବିଆଇ ଶାଖାରେ ଆକାଉଣ୍ଟ ନଂ. ୩୪୧୬୬୬୫୪୫୪୪ରୁ ତଞ୍ଚକତା ପୂର୍ବକ ଗତ ୨୮/୬/୨୦୧୭ ତାରିଖରେ ୩୦ ହଜାର, ଚିନ୍ଦ୍ରସେନ ନାଏକଙ୍କ ଆକାଉଣ୍ଟରୁ ୪୦ ହଜାର, ୫/୭/୨୦୧୭ ତାରିଖରେ ଚିତ୍ରସେନ ନାଏକଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା, ୨୬/୭/୧୭ରେ ୮୦ ହଜାର ଟଙ୍କା, ୧୪/୦୯/୧୭ ତାରିଖରେ ସି ତିର୍କିଙ୍କ ୪୦ ହଜାର ଓ ତା୩୧/୧୦/୧୭ରିଖ ଏ ମୁଣ୍ଡାଙ୍କ ଆକାଉଣ୍ଟରେ ୧୫ ହଜାର ହଡ଼ପକୁ ମିଶାଇ ମୋଟ୍‌ ୨ଲକ୍ଷ ୪୫ହଜାର ଟଙ୍କା ହଡ଼ପ ହୋଇଛି। ସେହିପରି ଉକାମ ଗ୍ରାମର ବାସ ମାଝୀଙ୍କ ଆକାଉଣ୍ଟ ନଂ. ୩୩୯୮୦୩୫୧୧୭୪ରୁ ଚିତ୍ରସେନ ନାଏକ ଓ ଯୋଗେଶ୍ୱର ନାଏକଙ୍କ ଆକାଉଣ୍ଟରୁ ମୋଟ୍‌ ୧ ଲକ୍ଷ ୨୦ ହଜାର ଟଙ୍କା ଜାଲିଆତି କରି ଉଠାଣ ହୋଇଥିବା ଅଭିଯୋଗ ହୋଇଛି। ସେହିପରି କୁଲଡିହା ଗ୍ରାମର କଂଗ୍ରେସ ଗିରିଙ୍କ ଆକାଉଣ୍ଟ ନଂ. ୧୧୭୫୬୪୩୩୪୫୫ରୁ ସନଜ ଗିରି, ହଳଧର ଗିରିଙ୍କ ଆକାଉଣ୍ଟରୁ ମୋଟ୍‌ ଏକ ଲକ୍ଷ ଟଙ୍କା ଜାଲ ଉଠାଣ କରାଯାଇ ହଡ଼ପ ହୋଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ଏହି ଦୁର୍ନୀତିର ତଦନ୍ତ କରା ନଗଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

ତେବେ ଘେରଉ ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ପହଞ୍ଚିବା ପୂର୍ବରୁ ବାଦାମପାହାଡ଼ ଥାନା ଓ ସୁଲେଇପାଟ ଫାଣ୍ଡି ପୁଲିସ୍‌ ବ୍ୟାଙ୍କ ପରିସରରେ ପହଞ୍ଚିଥିଲେ। ଅଭିଯୋଗପତ୍ର ଗ୍ରହଣ କରି ନଥିବା ପୁଲିସ୍‌ କିଭଳି ଏତେ ଶୀଘ୍ର ଉପସ୍ଥିତ ହୋଇଗଲେ ବୋଲି ଅଞ୍ଚଳବାସୀ ପଶ୍ନ କରିଛନ୍ତି। ଏବାବଦରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅନିରୁଦ୍ଧ ସିଂଙ୍କୁ ଯୋଗାଯୋଗ କରିବାରୁ ସନ୍ତୋଷଜନକ ଉତ୍ତର ମିଳି ନଥିଲା। ଏସ୍‌ବିଆଇର ଉପରିସ୍ଥ ଅଧିକାରୀମାନଙ୍କୁ ଯୋଗାଯୋଗ କରିବାରୁ ଅନିୟମିତତାକୁ ସ୍ୱୀକାର କରିବା ସହିତ କୌଣସି ଉତ୍ତର ଦେବାକୁ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର