ମୁଣ୍ଡରେ ବନ୍ଧୁକ ଲଗେଇ ଲୁଟିଲେ ଲକ୍ଷାଧିକ ଟଙ୍କା
ପ୍ରତିରୋଧ କରିବାକୁ ବନ୍ଧୁକରେ ବାଡ଼େଇ ଆହତ କଲେ ଲୁଟେରା
ବାରିପଦା : ଆଜି ରାତି ପ୍ରାୟ ସାଢ଼େ ଆଠଟାରୁ କିଛି ସମୟ ପୂର୍ବରୁ ବାରିପଦାର ଜଣାଶୁଣା ବ୍ୟବସାୟୀ ଶମ୍ଭୁଦୟାଲ ଖଣ୍ଡେଲୱାଲ (ଲାଲା)ଙ୍କଠାରୁ କିଛି ଦୁର୍ବୃତ୍ତ ମୁଣ୍ଡରେ ବନ୍ଧୁକ ଲଗେଇ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମୁର୍ଗାବାଡ଼ି ଛକରୁ ଦେଉଳୀ ରାସ୍ତାରେ ଡାହାଣ ପାର୍ଶ୍ବରେ ଥିବା ଶ୍ରୀ ଖଣ୍ଡେଲୱାଲଙ୍କ ସିମେଣ୍ଟ, ରଡ ଦୋକାନରୁ ତିନିଜଣ ଦୁର୍ବୃତ୍ତ ଏକ ବାଇକରେ ହଠାତ ଆସି ଲାଲା’ଙ୍କ ମୁଣ୍ଡରେ ବନ୍ଧୁକ ଲଗେଇ ଟଙ୍କା ବ୍ୟାଗ ଝାମ୍ପିନେଇଥିଲେ । ଏହି ସମୟରେ ଦୋକାନର କର୍ମଚାରୀ ଏବଂ ଲାଲାଙ୍କର ଜଣେ ସମ୍ପର୍କୀୟ ଏହାର ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ବନ୍ଧୁକରେ ସେମାନଙ୍କୁ ବାଡ଼େଇଥିଲେ। ଫଳରେ ଲାଲାଙ୍କ ସମେତ ଆଉ ୨ଜଣ ଲୁଟେରାଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀ ଖଣ୍ଡେଲୱାଲ ସଠିକ କିଛି କହିପାରୁନଥିବାରୁ ଲୁଟ୍ ଟଙ୍କାର ପରିମାଣ ନେଇ ସଠିକ କିଛି କହିହେଉନାହିଁ । ଘଟଣାସ୍ଥଳରେ ବାରିପଦା ସଦର ଥାନା ଏବଂ ଟାଉନ୍ ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।